



ମୋବାଇଲ ରିଚାର୍ଜ ସ୍କିମରେ ଅର୍ଥ ନେଇ ଏସ୍ ଏମ୍ ପି ଏଲ୍ ଗାଏବ ! ଗ୍ରାହକ ହତାଶ, ୱେବ ସାଇଟ ବନ୍ଦ, ୧୨୫୦ ଟଙ୍କା ନେଇ ୨ ମାସ ସେବା ଦେବା ପରେ ସ୍କିମ ବନ୍ଦ
ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ଭୁବନେଶ୍ବର /ବ୍ରହ୍ମପୁର ( ୧୬. ୦୩. ୨୦୨୧) – : ସାରା ରାଜ୍ୟରେ ଚିଟଫଣ୍ଡ ଜାଲିଆତି ଘଟଣା ଥମିନଥିବା ବେଳେ ବର୍ତ୍ତମାନ ଆଉ ଏକ ନେଟ ୱାର୍କୀଙ୍ଗ ସଂସ୍ଥା ଲୋକଙ୍କୁ ଭୁଆଁ ବୁଲାଇ ଉଭାନ ହୋଇଯିବାକୁ ବସିଛି । ପ୍ରାପ୍ତ ସୂଚନା ଅନୁଯାୟୀ ସୁଭୋତ୍ତମ ମଲ୍ଟିଟ୍ରେଡ଼ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ସଂସ୍ଥା ୨୦୨୦ ମସିହା ଜୁନ ମାସରେ ଆରମ୍ଭ କରି ଗ୍ରାହକ ମାନଙ୍କୁ ଆକର୍ଷିତ କରିବା ପାଇଁ ମୋବାଇଲ ରିଚାର୍ଜ ପାଇଁ ଏକ ଆକର୍ଷଣୀୟ ସ୍କିମ ଆରମ୍ଭ କରିଥିଲା । ଜଣେ ଗ୍ରାହକ ଏକା ସମୟରେ ୧୨୫୦ ଟଙ୍କା ଦେଇ ସଭ୍ୟ ହେବା ପରେ ତାକୁ ୧୨ ମାସ ପାଇଁ ଯେ କୌଣସି ମୋବାଇଲ ରିଚାର୍ଜ କରିବା ପାଇଁ ଅଫର ମିଳିଥିଲା । ଏହା ସହ ଉକ୍ତ ଗ୍ରାହକ ଯଦି ଚେନ ସିଷ୍ଟମ କରେ ତାହାହେଲେ ତାକୁ ଅଧିକ ବୋନସ ମିଳିବା ପାଇଁ ଲୋଭ ଦେଖାଇ ଶହ ଶହ ଗ୍ରାହକଙ୍କୁ ଏହି ଯୋଜନାରେ ସାମିଲ କରି ସ୍ୱତନ୍ତ୍ର ଏଜେଣ୍ଟ ମାଧ୍ୟମରେ ଟଙ୍କା ସଂଗ୍ରହ କରିଥିଲା। ମାତ୍ର ୨/୩ ମାସ ରିଚାର୍ଜ ହୋଇଯିବ। ପରେ ଆଉ ସେହି ବ୍ୟବସ୍ଥା କାର୍ଯ୍ୟ କରିନଥିଲା। ବେଗୁନିଆପଡା,ରମ୍ଭା,ଖଲ୍ଲିକୋଟ,ପୋଲସରା ବ୍ଲକ ସମେତ ଗଞ୍ଜାମ ଜିଲ୍ଲାରେ ଏହି ସଂସ୍ଥା କାୟା ବିସ୍ତାର କରିଥିବା ବେଳେ ଏଜେଣ୍ଟ ସମ୍ପୂର୍ଣ୍ଣ ମାଲାମାଲ ହୋଇ ଗ୍ରାହକଙ୍କୁ ହତାଶ କରି ଉଭାନ ହୋଇଯାଇଛନ୍ତି। ଖାଲି ରିଚାର୍ଜ ନୁହେଁ ବିଭିନ୍ନ ଜିନିଷ କିଣିବା ପାଇଁ ସ୍କିମ ଏହି ସଂସ୍ଥା କରିଥିବା ବେଳେ ବର୍ତ୍ତମାନ ଗ୍ରାହକ ମାନେ ଅର୍ଥ ଦେଇ ଚିନ୍ତାରେ ଅଛନ୍ତି। ସେପଟେ ଏହି ସଂସ୍ଥାରେ ରମ୍ଭା ଅଂଚଳର ଜନୈକ ସରକାରୀ କର୍ମଚାରୀ , ପୋଲସରା ଅଂଚଳର ଓ ବ୍ରହ୍ମପୁର ସହରର କିଛି ହାତ ଗଣତି ଲୋକ ଏହି ସଂସ୍ଥାକୁ ଚଳାଇଥିବା ବେଳେ ବର୍ତ୍ତମାନ ଯଦି ଅର୍ଥ ଫେରସ୍ତ ନମିଳେ ତେବେ ଉକ୍ତ ଏଜେଣ୍ଟ ବିରୋଧରେ ଗ୍ରାହକ ଏତଲା ଦେବେ ବୋଲି ଚେତାବନୀ ଦେଇଛନ୍ତି ।