ରାଜଧାନୀ ଓ କଟକ ରେ ଚଳିତ ବର୍ଷର ପ୍ରଥମ କାଳବୈଶାଖୀ
ଜେ ବି ଏନ, ୨୭/୦୩ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଚଳିତ ବର୍ଷର ପ୍ରଥମ କାଳବୈଶାଖୀ ଅନୁଭୂତ ହୋଇଛି। କାଳବୈଶାଖୀର ପ୍ରଭାବରେ ଆଜି ସନ୍ଧ୍ୟାରେ ଭଲ ଅସରାଏ ବର୍ଷା ହୋଇଛି। ପବନ, ବର୍ଷା ସହ ଘଡ଼ଘଡ଼ି ରାଜଧାନୀ ଜନଜୀବନକୁ କିଛି କ୍ଷଣ ଲାଗି ଅଟକାଇ ଦେଇଥିଲା । ସନ୍ଧ୍ୟା ସାଢ଼େ ୫ଟା ପରେ କାଳବୈଶାଖୀ ଆରମ୍ଭ ହୋଇ ଝଡ଼ ପରେ ଅଳ୍ପ ସମୟ ଲାଗି ବର୍ଷା ହୋଇଥିଲା । ରାଜଧାନୀରେ ବର୍ଷା ଯୋଗୁଁ ମାଟି ଓଦା ହୋଇଯାଇଥିବାରୁ ଆଗାମୀ କିଛି ସମୟ ପାଇଁ ତାତିରୁ ନିସ୍ତାର ମିଳିବ ବୋଲି ଆଶା କରାଯାଉଛି। ସେଇ ଭଳି କଟକ ଜିଲ୍ଲା ରେ ମଧ୍ୟ ବର୍ଷା ସହିତ କୁଆ ପଥର ପଡ଼ିବା ର ଦୃଶ୍ୟ ଦେଖିବାକୁ ମିଳିଛି l ଭୁବନେଶ୍ବରସ୍ଥିତ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଆଜି କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, କୋରାପୁଟ,ଗଜପତି ଓ କନ୍ଧମାଳ ଜିଲ୍ଲାରେ ବଜ୍ରପାତ ସାଙ୍ଗକୁ ଝଡବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଥିଲା। ସେହିପରି ଆଜିଠାରୁ ଆସନ୍ତାକାଲି ସକାଳ ୮ଟା ୩୦ ଯାଏଁ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଓ କଟକରେ ଝଡବର୍ଷା ସାଙ୍ଗକୁ ବଜ୍ରପାତ ହୋଇପାରେ ବୋଲି ପାଣିପାଗ ପକ୍ଷରୁ କୁହାଯାଇଛି। ୨୮ ତାରିଖ ସକାଳ ୮ଟା ୩୦ରୁ ୨୯ ତାରିଖ ସକାଳ ୮ଟା ୩୦ ଯାଏଁ ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ଝଡବର୍ଷା ସାଙ୍ଗକୁ ବଜ୍ରପାତ ହୋଇପାରେ। ତେବେ ପୂର୍ବ ଓ ଉତ୍ତର ଓଡିଶାରେ ଏଭଳି ପାଣିପାଗ ହେବାକୁ ଥିବାବେଳେ ପଶ୍ଚିମ ଓଡ଼ିଶାରେ ହିଟୱେଭର ସମ୍ଭାବନା ରହିଛି।