ଭୁବନେଶ୍ୱର ହେବ ଭିକାରୀମୁକ୍ତ
ଜେ ବି ଏନ, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ଭୁବନେଶ୍ୱର,୨୮/୦୩ /୨୦୨୧ : ରାଜଧାନୀ ଭୁବନେଶ୍ୱରକୁ ଭିକାରୀ ମୁକ୍ତ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଓ କମିଶନରେଟ୍ ପୁଲିସ ମିଳିତ ଭାବେ ଅଣ୍ଟା ଭିଡ଼ିଛନ୍ତି । ବିଭିନ୍ନ ସ୍ଥାନରେ ଭିକ୍ଷାବୃତ୍ତି କରୁଥିବା ବଞ୍ଜାରାଙ୍କୁ ଏ ସମ୍ପର୍କରେ ବୁଝାଯାଇଛି । ଅନ୍ୟ ରାଜ୍ୟର ୩୦୦ରୁ ଅଧିକ ବଞ୍ଜାରା ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ସ୍ଥାନଗୁଡ଼ିକରେ ଆଡ୍ଡା ଜମାଇଛନ୍ତି । ଏପରିକି ଛୋଟ ଛୋଟ ପିଲାଙ୍କୁ ଧରି ଟ୍ରାଫିକ୍ ପୋଷ୍ଟ ସମେତ ବିଭିନ୍ନ ଜନଗହଳି ସ୍ଥାନରେ ଭିକ୍ଷାବୃତ୍ତି କରି ସାଧାରଣ ଲୋକଙ୍କୁ ହଇରାଣ କରୁଛନ୍ତି । ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ନିର୍ଦ୍ଦେଶରେ ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକ, ଉପଆୟୁକ୍ତ କମଳାକାନ୍ତ ବେହେରା, କମିଶନର ପୁଲିସ୍ ପକ୍ଷରୁ ଲଳିତେନ୍ଦୁ ମହାନ୍ତି ପ୍ରମୁଖ ସହରର ବିଭିନ୍ନ ସ୍ଥାନକୁ ଯାଇ ବଞ୍ଜାରାଙ୍କ ସହ ଆଲୋଚନା କରିଥିଲେ । ବଞ୍ଜାରାମାନେ ମଧ୍ୟ ଭିକ୍ଷାବୃତ୍ତି ନକରି ନିଜ କୌଳିକ ବୃତ୍ତି ଆପଣେଇ ନିଜ ନିଜ ଗ୍ରାମକୁ ଫେରିଯିବେ ବୋଲି କହିଥିବା ଜଣାପଡିଛି । ଏହି ଅଭିଯାନରେ ବିକାଶ ଓ ଓଡ଼ିଶା ପତିତ ଉଦ୍ଧାର ସମିତି ସଂସ୍ଥାର ସ୍ୱେଚ୍ଛାସେବୀମାନେ ଉପସ୍ଥିତ ଥିଲେ ।