ବ୍ରହ୍ମପୁର ବାଇପାସ୍‌କୁ ସବୁଜ ସଙ୍କେତ:‌

ବ୍ରହ୍ମପୁର ବାଇପାସ୍‌କୁ ସବୁଜ ସଙ୍କେତ:‌

 

ଜେ ବି ଏନ, ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି, ବ୍ରହ୍ମପୁର,୦୨/୦୪: ବ୍ରହ୍ମପୁର ବାଇପାସ୍‌କୁ ସବୁଜ ସଙ୍କେତ । ବହୁ ପ୍ରତୀକ୍ଷା ପରେ ସହରରେ ଯାଇଥିବା ଜାତୀୟ ରାଜପଥ-୫୯ର ବାଇପାସ୍‌ ନିର୍ମାଣ କରିବାକୁ ୧୯୬.୯୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ବିଭାଗ ମନ୍ତ୍ରୀ ନିତିନ୍‌ ଗଡ଼କରୀ ସୋସିଆଲ୍‌ ମିଡ଼ିଆ ଟ୍ୱିଟ୍‌ର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଇଞ୍ଜିନିୟରିଂ ପ୍ରକ୍ୟୁରମେଣ୍ଟ ସେଲ୍‌(ଇପିସି) ମାଧ୍ୟମରେ ଏହି କାମ କରାଯିବ ବୋଲି ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ଗଡକରୀ ଟ୍ୱିଟ୍‌ରେ ସୂଚନା ଦେଇଛନ୍ତି । ବାଇପାସ୍‌ ନିର୍ମାଣ ପାଇଁ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିବା ପରେ ଦୀର୍ଘ ବର୍ଷ ଧରି ସ୍ୱପ୍ନ ଏବେ ପୂରଣ ହେବ ବୋଲି ଆଶା କରାଯାଉଛି । ଜାତୀୟ ରାଜପଥ ୧୬କୁ ସଂଯୋଗ କରୁଥିବା ୫୯ ରାଜପଥ ବ୍ରହ୍ମପୁର ସହର ଦେଇ ଯାଉଥିଲା । ଯାହାଫଳରେ ଦିନରେ ଯୋଗାଯୋଗ ଏବଂ ମାଲ ପରିବହନରେ ଅସୁବିଧା ଲାଗି ରହିଥିଲା । ବାଇପାସ୍‌ ହେବା ପରେ ସହରରେ ଗହଳି କମିବା ସହ ମାଲ ପରିବହନରେ ମଧ୍ୟ ସୁବିଧା ହେବ ବୋଲି ଆଶା କରାଯାଉଛି । ଜାତୀୟ ରାଜପଥ ୫୯ ଏବେ ଜଗନ୍ନାଥପୁର ଛକରୁ ବାହାରି ବ୍ରହ୍ମପୁର ସହରରେ ୧୬ କିଲୋମିଟର ଯଥା ଆମ୍ବପୁଆ, ଗେ।।ପଳପୁର ଜଙ୍କସନ୍‌, ଇଞ୍ଜିନିୟରିଂ ସ୍କୁଲ ଛକ, କମାପଲ୍ଲୀ, ଗିରିରୋଡ଼, ଖଲ୍ଲିକୋଟ କଲେଜ ରୋଡ଼, ସିଟି ହସ୍‌ପିଟାଲ୍‌ ରୋଡ଼, ଆସିକା ରୋଡ଼, ଫାଷ୍ଟଗେଟ୍‌ ହୋଇ ସହର ବାହାରକୁ ବାହାରିଛି । ସହର ଭିତରେ ରାଜପଥ ରହିଥିବାରୁ ସକାଳ ୮ଟା ପରେ ଟ୍ରାଫିକ୍‌ ଜାମ୍‌ ହେଉଛି । ଏହାକୁ ଦୃଷ୍ଟିରେ ରଖି ସହରରେ ନୋ-ଏଣ୍ଟ୍ରି ସମୟ ସ୍ଥିର କରାଯାଇଛି । ଯାହାଫଳରେ ମାଲ ପରିବହନ ଗାଡ଼ି ରାସ୍ତା କଡ଼ରେ ଅଟକି ରହୁଛନ୍ତି ଏବଂ ପରିବହନରେ ଅସୁବିଧା ହେଉଛି । ବର୍ତ୍ତମାନ୍‌ ଜଗନ୍ନାଥପୁର ଛକରୁ ହିଁ ଏହି ବାଇପାସ୍‌ ରତନପୁର ପର୍ଯ୍ୟନ୍ତ ଯିବ । ଡିପିଆର୍‌ରେ ବାଇପାସ୍‌ର ଲମ୍ବ ୧୨ କିଲୋମିଟର ଥିବା ବେଳେ ଦୁଇଟି ଆର୍‌ଓବି କରାଯିବ । ନରେନ୍ଦ୍ରପୁର ଠାରେ ଗୋଟିଏ ରେଲ୍‌ୱେ ଓଭରବ୍ରିଜ୍‌ ନିର୍ମାଣା କରାଯିବ । ଏହି ଆର୍‌ଓବି ଚାରି ଲେନ୍‌ର ହେବ । ସେହିପରି ଟାଟା କଲୋନି ନିକଟରେ ବ୍ରହ୍ମପୁର ପୁରୁଷୋତ୍ତମପୁ ରୋଡ଼ ଉପରେ ଗୋଟିଏ ରୋଡ଼ ଓଭର ବ୍ରିଜ୍‌ କରାଯିବ । ଏହି ଆର୍‌ଓବି ମଧ୍ୟ ୪ଲେନ୍‌ ହେବ ବୋଲି ଏନ୍‌ଏଚ୍‌ ବିଭାଗ ଆସିଷ୍ଟାଣ୍ଟ ଇଞ୍ଜିନିୟର ରାମଚନ୍ଦ୍ର ସେଠୀ କହିଛନ୍ତି । ବାଇପାସ୍‌ ନିର୍ମାଣ କରିବାକୁ ଦୀର୍ଘ ୭ବର୍ଷ ହେଲା ପ୍ରସ୍ତାବ ଦିଆଯାଇଛି । ଧିରେ ଧିରେ ବାଇପାସ୍‌ କାମ ଅଗ୍ରଗତି କରୁଥିବା ବେଳେ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଛି । ତେବେ କେନ୍ଦ୍ର ସରକାରଙ୍କ ମଞ୍ଜୁର ଅର୍ଥରୁ ହିଁ ଜମି ଅଧିଗ୍ରହଣ ବାବଦରେ ଖର୍ଚ୍ଚ କରାଯିବ । ଏବେ ଜମି ଅଧିଗ୍ରହଣ ୭୦ ପ୍ରତିଶତ ସରିଥିବା ବେଳେ ଖୁବ୍‌ଶୀଘ୍ର ଏହି ପ୍ରକ୍ରିୟା ସରିବ ବୋଲି ସେ କହିଛନ୍ତି । କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିବା ପରେ ବାଇପାସ୍‌ କାମ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ଆଶା କରାଯାଉଛି ।

Recent Post

Live Cricket Update