କପିଳାସ ପୀଠରେ ଜାଗର ଯାତ୍ରା ପ୍ରସ୍ତୁତି ବୈଠକ

କପିଳାସ ପୀଠରେ ଜାଗର ଯାତ୍ରା ପ୍ରସ୍ତୁତି ବୈଠକ

ଢେଙ୍କାନାଳ , ତା . ୧୨.୦୧.୨୦୨୩ – ପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ଜୀଉଙ୍କ କପିଳାସ ପୀଠରେ ମହାଶିବ ରାତ୍ରି ଜାଗର ଯାତ୍ରା ପର୍ବ ଅନୁଷ୍ଠାନ ନିମନ୍ତେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଅଧ୍ୟକ ସଂଖ୍ୟକ ଶ୍ରଦ୍ଧାଳୁ ମାନଙ୍କର ଆଗମନକୁ ଦୃଷ୍ଟିରେ ରଖୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିବା ସହିତ ଜାଗର ଯାତ୍ରା ଯେପରି ଶାନ୍ତି ଶୃଙ୍ଖଳା ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମାପନ ହୋଇପାଇରିବ ସେଥ୍‌ପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ବାରବାଙ୍କରେ ସ୍ଥାୟୀ ଆଲୋକିକରଣ କରାଯାଇ ପୀଠର ପାଦ ଦେଶରେ ପ୍ରଭୁ ଶ୍ରୀ ଚନ୍ଦ୍ର ଶେଖର ଜୀଉଙ୍କର ମୂର୍ତ୍ତି ସ୍ଥାପନ ଓ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ସେ କହିଛନ୍ତି । ଗନ୍ଦିଆ ବିଡିଓ ଏବଂ ତହସିଲଦାର ପାନୀୟ ଜଳ , ଶୌଚଳୟ ଏବଂ ଗାଡି ପାକଂର ସୁ ବ୍ୟବସ୍ଥା କରିବାକୁ କହିଛନ୍ତି । ଜାଗର ଯାତ୍ରାରେ ପ୍ରବଳ ଜନସମାଗମ ହେବାକୁ ଥିବାରୁ ଶାନ୍ତି ଶୃଙ୍ଖଳା ରକ୍ଷା , ଯାନବାହାନ ନିୟନ୍ତ୍ରଣର ସୁବ୍ୟବସ୍ଥା କରାଯିବ ବୋଲି ଆରକ୍ଷୀ ଅଧ୍ୟକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର ପ୍ରକାଶ କରିଛନ୍ତି । ଏଥିପାଇଁ ସ୍ଥାନୀୟ ମହାବିଦ୍ୟାଳୟର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀମାନଙ୍କ ସହଯୋଗ ନିଆଯିବ ସେ କହିଛନ୍ତି । ଯାତ୍ରାକୁ ଶାନ୍ତି ଶୃଙ୍ଖଳା ର ସହିତ ସମାପନ କରିବାକୁ ସେ ସମସ୍ତ ଲାଇନ ଡିପାର୍ଟ ମେଣ୍ଟର ଅଧିକାରୀ ଓ ଜନସାଧାରଣଙ୍କର ସହଯୋଗ କାମନା କରିଛନ୍ତି । ରାଜପୁରୋଧାଙ୍କ ନିର୍ଘଣ୍ଟ ଅନୁଯାୟୀ ରାତ୍ର ୩ ଟା ୫୫ ମି . ରୁ ବେଢା ପୂଜା , ବେଢା ପରିକ୍ରମା ଓ ମହାଦୀପ ଉଠାଣ କାର୍ଯ୍ୟ ରାତ୍ର ୪ ଟା ୦୯ ମି . ମଧେ ସମ୍ପୂର୍ଣ୍ଣ ହେବ । ପୀଠର ବାରବାଙ୍କ ରାସ୍ତାରେ ଆଲୋକ ବ୍ୟବସ୍ଥା ସହିତ ମନ୍ଦିର ଭିତର ବେଢା , ମନ୍ଦିର ପରିସର ବଡ଼ଦାଣ୍ଡ , ଘାଟରାସ୍ତା ଓ ଶିଖତଳରେ ଆଲୋକ ବ୍ୟବସ୍ଥା କରାଯିବ । ଜାଗର ଯାତ୍ରାକୁ ବ୍ୟବସ୍ଥିତ ଭାବେ ଆୟୋଜନ ନିମନ୍ତେ ଯାତାୟାତ ବ୍ୟବସ୍ଥା , ଗାଡି ପାକିଂ ନିମନ୍ତେ ଭଡ଼ା ଧାର୍ଯ୍ୟ , ଏଲ ଇ ଡି ମାଧ୍ୟମରେ ପୀଠରେ ଏବଂ ପାବଚ୍ଛ ଦେଶରେ ପ୍ରସାରଣ ବ୍ୟବସ୍ଥା , ପରିଷ୍କାର ପରିଚ୍ଛନତା , ଜଳଯୋଗାଣ ବ୍ୟବସ୍ଥା , ଅଗ୍ନି ନିର୍ବାପକ ବ୍ୟବସ୍ଥା , ଅସ୍ଥାୟୀ ଦୋକାନ ନିମନ୍ତେ ସ୍ଥାନ ନିରୂପଣ , ଆଶୁଚିକିତ୍ସା ବ୍ୟବସ୍ଥା , କଣ୍ଟ୍ରୋଲ ରୁମ ସ୍ଥାପନ , ଜେନେରେଟର ବ୍ୟବସ୍ଥା ଆଦି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ମନ୍ଦିର ଆଖପାଖ ଅଞ୍ଚଳ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ବ ଦିଆଯିବା ସହିତ ପଲିଥୁନ ବ୍ୟବହାରକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ବୈଠକ ପ୍ରାରମ୍ଭରେ ଉପ ଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ ସ୍ବାଗତ ଭାଷଣ ଦେଇଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ( ସାଧାରଣ ) ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରକାଶ ଚାନ୍ଦ ଗୋଗିନେନୀ , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ଶ୍ରୀ ତନ୍ମୟ କୁମାର ଦରୱାନ , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା . ଅଶୋକ କୁମାର ଦାଶ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧୂ ମାନେ ଯୋଗ ଦେଇଥିଲେ ।

Recent Post

Live Cricket Update