୧୫ ଦିନ ମଧ୍ୟରେ ଦାବି ସମାଧାନ ପ୍ରତିଶ୍ରୁତି

କ୍ଷତିଗ୍ରସ୍ତଙ୍କୁ ଭୁଆଁ ବୁଲାଉଛି ମଙ୍ଗିଲାଲ ରୁଙ୍ଗଟା
ନିଯୁକ୍ତି ଓ ପାରିପାଶ୍ୱର୍କ ଉନ୍ନତିକୁ ଅଣଦେଖା କରୁଛି କମ୍ପାନୀ
ତ୍ରିପାକ୍ଷୀକ ବୈଠକରେ ଆଲୋଚନା, ୧୫ ଦିନ ମଧ୍ୟରେ ଦାବି ସମାଧାନ ପ୍ରତିଶ୍ରୁତି
ଢେଙ୍କାନାଳ,୧୮ା୧: ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ମୋଟଙ୍ଗା ଥାନା ଅନ୍ତର୍ଗତ ତୁଳସୀଡିହଠାରେ ଗଢି ଉଠିଥିବା ମଙ୍ଗିଲାଲ ରୁଙ୍ଗଟା କମ୍ପାନୀର ମନମାନିକୁ ନେଇ ସ୍ଥାନୀୟ ଅଞ୍ଚଳର ତୀବ୍ର ଅସନ୍ତୋଷ ଦେଖାଦେଇଛି । ଲୋଭନୀୟ ପ୍ରତିଶ୍ରୁତି ଦେଇ ଜମି ଅଧିଗ୍ରହଣ କରିନେବା ପରେ କମ୍ପାନୀ କର୍ତ୍ତୃପକ୍ଷ ଗ୍ରାମବାସୀଙ୍କ ଦାବିକୁ ଅଣଦେଖା କରୁଛନ୍ତି । ନିଯୁକ୍ତି ଓ ପାରିପାଶ୍ୱର୍କ ଉନ୍ନତି ସେମାନଙ୍କ ମୁଖ୍ୟ ଦାବି ରହିଥିବାଳେ କମ୍ପାନୀ ବାରମ୍ବାର ଭୂଆଁ ବୁଲାଉଥିବା କ୍ଷତିଗ୍ରସ୍ତ ପ୍ରଜାମାନେ ଅଭିଯୋଗ ଆଣିଛନ୍ତି । ଏହାକୁ ନେଇ ବୁଧବାର ମଧ୍ୟାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଶାସନ, ପ୍ରକଳ୍ପ କର୍ତ୍ତୃପକ୍ଷ ଓ ସଂପୃକ୍ତ ଅଞ୍ଚଳବାସୀଙ୍କୁ ନେଇ ଏକ ତ୍ରିପାକ୍ଷୀକ ବୈଠକ ଅନୁଷ୍ଠିତ ହୋଇ ଆଲୋଚନା କରାଯାଇଛି । ବୈଠକରେ ଉପସ୍ଥିତ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଓ ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜାସଂଘର ସଭାପତି ଗଙ୍ଗାଧର ସାମଲ ଉପସ୍ଥିତ ରହି ଗ୍ରାମବାସୀଙ୍କ ସମସ୍ୟା ଉପସ୍ଥାପନ କରିଥିଲେ । କମ୍ପାନୀରେ ଜମିହରା ପ୍ରଜାଙ୍କୁ ସ୍ଥାୟୀ ନିଯୁକ୍ତି ସହ ଥଇଥାନ, କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଠିକାଦାର କାର୍ଯ୍ୟ ପ୍ରଦାନ, ଜିଲ୍ଲା ପ୍ରଶାସନ ତତ୍ତ୍ୱାବଧାନରେ କ୍ଷତିଗ୍ରସ୍ତ ଗ୍ରାମରେ ବିଭିନ୍ନ ପାରିପାଶ୍ୱର୍ିକ କାର୍ଯ୍ୟ ନେଇ କ୍ଷତିଗ୍ରସ୍ତମାନେ ବୈଠକରେ ଅଧ୍ୟକ୍ଷତା କରୁଥିବା ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ନିଯୁକ୍ତିକୁ ନେଇ କମ୍ପାନୀ କର୍ତ୍ତୃପକ୍ଷ ତୁରନ୍ତ ଏକ ପୋର୍ଟାଲ ଖୋଲିବେ । ଯେଉଁଥିରେ କି କ୍ଷତିଗ୍ରସ୍ତ ପ୍ରଜାମାନେ ଆବେଦନ କରିପାରିବେ । ସେମାନଙ୍କ ଦକ୍ଷତା ଅନୁସାରେ କମ୍ପାନୀରେ ନିଯୁକ୍ତି ଦେବା ସାକ୍ଷାତକାର ସମୟରେ ସ୍ୱତନ୍ତ୍ର ଭାବେ ୩୫ ପ୍ରତିଶତ ରିହାତି କରିବା ପାଇଁ କମ୍ପାନୀକୁ କୁହାଯାଇଥିଲା । ଯେଉଁମାନଙ୍କ କ୍ଷେତ୍ରରେ ପକ୍ଷପାତିତା ହୋଇଛି ତାହାର ପୁର୍ନବିଚାର କରାଯିବ । ଆସନ୍ତା ୧୫ ଦିନ ମଧ୍ୟରେ ସମସ୍ତ ଦାବିର ସମାଧାନ କରାଯିବ ବୋଲି ଉପସ୍ଥିତ କମ୍ପାନୀ କର୍ତ୍ତୃପକ୍ଷ ତ୍ରିପାକ୍ଷୀକ ବୈଠକରେ ରାଜି ହୋଇଥିବା କ୍ଷତିଗ୍ରସ୍ତ ପ୍ରଜାସଂଘର ସଭାପତି ଶ୍ରୀ ସାମଲ ସୂଚନା ଦେଇଛନ୍ତି । ସମସ୍ୟାର ସମାଧାନ ନହେଲେ ପୁନଶ୍ଚ କ୍ଷତିଗ୍ରସ୍ତମାନେ ମଙ୍ଗିଲାଲ୍ ରୁଙ୍ଗ୍ଟା ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ବୈଠକରେ ମୋଟଙ୍ଗା ପଞ୍ଚାୟତ, ଶିବପୁର ପଞ୍ଚାୟତର ଚରଡଗାଡିଆ, କୋଚିଳାମଡା ଏବଂ ମୋଟଙ୍ଗା ଗ୍ରାମର କ୍ଷତିଗ୍ରସ୍ତ ପ୍ରଜାଙ୍କ ସମେତ ଅତିରିକ୍ତ ଏସ୍ପି ପୁରୁଷୋତ୍ତମ ସେଠୀ, ଅନ୍ୟାନ୍ୟ ପୁଲିସ୍ ଅଧିକାରୀ ଉପସ୍ଥିତ ଥିଲେ ।

Recent Post

Live Cricket Update