Search
Close this search box.

ଇଡକୋ ପାଚେରୀ ବୁଲା ପୂର୍ବରୁ କେ – ଫର୍ମ ଏବଂ ଦେବୋତର ଜାଗାର କ୍ଷତିପୂରଣ ଦେବା ଦାବିରେ ଗରିବ ଦଳିତ ଆଦିବାସୀଙ୍କ ଧାରଣା

ଇଡକୋ ପାଚେରୀ ବୁଲା ପୂର୍ବରୁ କେ – ଫର୍ମ ଏବଂ ଦେବୋତର ଜାଗାର କ୍ଷତିପୂରଣ ଦେବା ଦାବିରେ ଗରିବ ଦଳିତ ଆଦିବାସୀଙ୍କ ଧାରଣା


ଢେଙ୍କାନାଳ ( ୨୩ / ୧ ) – ନେଉଳପୋଇ , ଛାଟିଆ , ବନ୍ଧନୂଆଗାଁ ଏବଂ ଦୁର୍ଗାପ୍ରସାଦ ଏହି ୪ ଗୋଟି ଗାଁରେ ଇଡକୋ ପାଚେରୀ ବୁଲା ପୂର୍ବରୁ କେ – ଫର୍ମ ଏବଂ ଦେବୋତର ଜାଗାର କ୍ଷତିପୂରଣ ଦେବା ଦାବିରେ ଆଜି ୨ ଶହରୁ ଅଧିକ ଗରିବ ଦଳିତ ଓ ଆଦିବାସୀ ଦିନ ୧୨ ଟା ଠାରୁ ଜିଲ୍ଲାପାଳଙ୍କ ଅଫିସ୍ ସାମନାରେ ଇଡକୋ – ସିଇଏସସି ମହିମାଗାଦି କ୍ଷତିଗ୍ରସ୍ତ ପ୍ରଜା ସମିତିର ସଭାପତି ଏବଂ ଜନନେତା ଇଂ . ଦେବା ହୋତାଙ୍କ ନେତୃତ୍ୱରେ ଧାରଣାରେ ବସି ରହିଛନ୍ତି । ଗତ ଶନିବାର ଦିନ ଜିଲ୍ଲାପାଳ ଉପରୋକ୍ତ ଗ୍ରାମବାସୀଙ୍କର ବୈଠକ ଡାକିଥିଲେ । ସେଠାରେ ଉପସ୍ଥିତ ଗ୍ରାମବାସୀମାନେ ଉପରୋକ୍ତ ଦାବି ଉପସ୍ଥାପନ କରିଥିଲେ ମଧ୍ୟ ଜିଲ୍ଲାପାଳ ଏହା ନ ଶୁଣି ଇଡକୋ ପାଚେରୀ ତୁରନ୍ତ ବୁଲାଯିବ ବୋଲି ନିଷ୍ପତି ନେବାରୁ ଏହି ଗରିବ ଦଳିତ ଓ ଆଦିବାସୀ ପରିବାର ଅତ୍ୟନ୍ତ ଦୁଃଖରେ ଆଜି ଛୁଟିଦିନ ଥାଇ ମଧ୍ୟ ଢେଙ୍କାନାଳ ଆସି ଧାରଣା ଦେଇଛନ୍ତି । ଜିଲ୍ଲାପାଳ ସେମାନଙ୍କୁ କ୍ଷତିପୂରଣ ନ ଦେବା ଯାଏଁ ସେମାନେ ଧାରଣାରେ ବସି ରହିବେ ବୋଲି ପ୍ରକାଶ କରିଛନ୍ତି । ଯଦି ଏଠାରେ ଧାରଣାରେ ବସିଥିବାବେଳେ ଇଡକୋ ପାଚେରୀ ବୁଲାଯାଏ ତେବେ ସେମାନେ ସମୂହ ଆତ୍ମାହୁତି କରିବାକୁ ବାଧ୍ୟହେବେ ବୋଲି ଅତ୍ୟନ୍ତ ଦୁଃଖର ସହିତ ଇତ୍ୟବସରରେ ଜଣାଇଛନ୍ତି । ଏଠାରେ ପ୍ରକାଶଯୋଗ୍ୟ ଯେ , ଇଂ . ହୋତା ଗତ ୨୦୧୨ ମସିହାରେ ମାନ୍ୟବର ଜାତୀୟ ମାନବିକ ଅଧିକାର କମିଶନ ( ଏନଏଚଆରସି ) ଙ୍କ ପାଖରେ ଏଥିପାଇଁ କେସ୍ ଦାୟାର କରିଥିଲେ । ଫଳରେ ୨୦୧୩ ମସିହାରେ ନୂଆଦିଲ୍ଲୀରୁ ଏନଏଚଆରସି ସଦସ୍ୟ ଏହି ୪ ଗୋଟି ଗାଁକୁ ଆସି ସରଜମିନ୍ ତଦନ୍ତ କରିବା ପରେ ତୁରନ୍ତ କେ – ଫର୍ମ ଏବଂ ଦେବୋତର ଜାଗାର କ୍ଷତିପୂରଣ ଦେବାପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ୨୦୧୪ ମସିହାରେ ସରକାର ଏହାକୁ ମାନି ନେଇ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଏହା ପାଳନ କରିବାକୁ ଆଦେଶ ଦେଇଥିଲେ । ୮ ବର୍ଷ ମଧ୍ୟରେ କୌଣସି ଜିଲ୍ଲାପାଳ ଏ ବାବଦରେ ମୁଣ୍ଡ ଖେଳାଇଲେ ନାହିଁ । ବର୍ତମାନର ଜିଲ୍ଲାପାଳ ଇଡକୋ ପାଚେରୀ ବୁଲାଇବା ପାଇଁ ଚେଷ୍ଟା କରିବାରୁ ଲୋକମାନେ ଏହାକୁ ଗାଁ ଗାଁରେ ବିରୋଧ କଲେ । ଇଂ . ହୋତା ବର୍ତମାନର ଜିଲ୍ଲାପାଳଙ୍କୁ ଭେଟି ଉପରୋକ୍ତ ସମସ୍ତ ବିବରଣୀ ପ୍ରଦାନ କରିଥିଲେ । ଅଥଚ ଜିଲ୍ଲାପାଳ ରାଜ୍ୟ ସରକାରଙ୍କ ୮ ବର୍ଷ ପୂର୍ବର ନିର୍ଦ୍ଦେଶ ପାଳନ ନ କରି ଅତି ତରବରିଆ ଭାବରେ ଏଭଳି ଏକପାଖିଆ ନିଷ୍ପତି ନେବାରୁ ଶତାଧିକ ଗରିବ ଦଳିତ ଓ ଆଦିବାସୀ ଆଜି ଶୀତକାକରରେ ରାଜରାସ୍ତାରେ ନିଜର ହକ୍ ଅଧିକାର ପାଇଁ ପଡିରହିଛନ୍ତି ।

Recent Post

Live Cricket Update

You May Like This

× How can I help you?