ଚଳନ୍ତା ଟ୍ରେନରୁ ଡେଇଁ ପଡିଲେ ଯୁବକ ଦେବଦୂତ ସାଜି ଜୀବନ ବଞ୍ଚାଇଲେ ଆରପିଏଫ କନଷ୍ଟେବଳ।
ବ୍ରହ୍ମପୁର,୧୯ା୨: ବ୍ରହ୍ମପୁର ରେଳ ଷ୍ଟେସନରେ ଏକ ଚଳନ୍ତା ଟ୍ରେନରୁ ଜଣେ ଯୁବକ ପ୍ଲାଟଫର୍ମକୁ ଡେଇଁ ପଡିଛନ୍ତି ା ସେ ଟ୍ରେନରୁ ଡେଇଁ ରେଳଧାରଣା ଭିତରକୁ ଟାଣି ହୋଇ ଯିବା ପୂର୍ବରୁ ସେଠାରେ କାର୍ଯ୍ୟରତ ଜଣେ ଆରପିଏଫ କନଷ୍ଟେବଳ ତାଙ୍କୁ ଉଦ୍ଧାର କରିନେବାରୁ ଯୁବକଙ୍କ ଜୀବନ ବଞ୍ଚିଯାଇଛି ା ଆଜି ଅପରାହ୍ନ ୧୨ଟା ୪୦ ବେଳେ ବ୍ରହ୍ମପୁର ରେଳ ଷ୍ଟେସନ ୧ ନଂ ପ୍ଲାଟଫର୍ମରେ ଏହି ଘଟଣା ଘଟିଛି ା ଉଦ୍ଧାର ହୋଇଥିବା ଯୁବକ ଜଣଙ୍କ ହେଲେ ଆସାମ ରାଜ୍ୟ ଜଖଲବନ୍ଧ ଥାନା ଅନ୍ତର୍ଗତ ସକମୁଠିର ଜୟଶଙ୍କର ମୁଣ୍ଡା(୩୪) ା ସୂଚନାପ୍ରକାରେ, ଜୟଶଙ୍କର ଓ ତାଙ୍କ ପତ୍ନୀ ଜଖଲବନ୍ଧରୁ ଚେନ୍ନାଇ ଯାଉଥିଲେ ା ସେମାନେ ବ୍ରହ୍ମପୁରରେ ଓହ୍ଲାଇ ଅନ୍ୟ ଏକ ଟ୍ରେନରେ ଚେନ୍ନାଇ ଯିବାକୁ ଯୋଜନା କରିଥିଲେ ା ଏହି ସମୟରେ ହାୱାଡା ମେଲ ଏକ୍ସପ୍ରେସ ଟ୍ରେନଟି ଚେନ୍ନାଇରୁ ଭୁବନେଶ୍ବର ଯାଉଥିଲା ା ଟ୍ରେନଟି ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବା ପରେ ଜୟଶଙ୍କର ଓ ତାଙ୍କ ପତ୍ନୀ ସେଥିରେ ଚଢିଥିଲେ ା ହେଲେ ସେମାନେ ଚେନ୍ନାଇ ଯିବା ବଦଳରେ ଚେନ୍ନାଇରୁ ଫେରୁଥିବା ଟ୍ରେନରେ ଚଢି ଯାଇଥିବା ଜାଣିବାକୁ ପାଇଥିଲେ ା ଟ୍ରେନଟି ଷ୍ଟେସନରେ ଥିବା ବେଳେ ତାଙ୍କ ପତ୍ନୀ ତଳକୁ ଓହ୍ଲାଇ ସାରିଥିଲେ ା କିନ୍ତୁ ଜୟଶଙ୍କର ତଳକୁ ଓହ୍ଲାଇବା ବେଳକୁ ଟ୍ରେନଟି ଷ୍ଟେସନରୁ ଛାଡି ଦେଇଥିଲା ା ଟ୍ରେନଟି ଚାଲୁଥିବା ଅବସ୍ଥାରେ ଜୟଶଙ୍କର ୧ ନଂ ପ୍ଲାଟଫର୍ମକୁ ଡେଇଁ ପଡିଥିଲେ ା ଟ୍ରେନରୁ ଡେଇଁବା ପରେ ସେ ପ୍ଲାଟଫର୍ମରେ ପଡିଯାଇଥିଲେ ଏବଂ ତାଙ୍କ ଶରୀର ରେଳ ଧାରଣା ଓ ପ୍ଲାଟଫର୍ମ ଭିତରେ ଚାପି ହେବାକୁ ଯାଉଥିଲା ା ଏହି ସମୟରେ ପ୍ଲାଟଫର୍ମରେ କାର୍ଯ୍ୟରତ ଆରପିଏଫ କନଷ୍ଟେବଳ ସୂର୍ଯ୍ୟକାନ୍ତ ସାହୁ ତୁରନ୍ତ ତାଙ୍କ ନିକଟକୁ ଦୌଡି ଆସି ତାଙ୍କୁ ଦୂରକୁ ଟାଣି ନେଇଥିଲେ ା ଫଳରେ ଜୟଶଙ୍କରଙ୍କ ଜୀବନ ବଞ୍ଚିଯାଇଥିଲା ା ଜୟଶଙ୍କର ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି ା