ଜିଲ୍ଲା ପରିଷଦ ସମୀକ୍ଷା ବୈଠକ ଅନୁଷ୍ଠିତ
ଢେଙ୍କାନାଳ , ତା . ୨୨ , ୦୨ , ୨୦୨୩– ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସମସ୍ତ ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ମଡେଲ ପ୍ରୋଜେକ୍ଟ ଗୁଡିକୁ ଆଗାମୀ ମାର୍ଚ୍ଚ ମାସ ସୁଦ୍ଧା ଶେଷ କରିବାକୁ ଜିଲ୍ଲାପାଳ ସମସ୍ତ ବିଡିଓ , ଯନ୍ତ୍ରୀ ଏବଂ ଏ.ପି.ଓ. ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀ , ପିକନିକ ସ୍ପଟ୍ ଆଦିରେ ଜନସାଧାରଣଙ୍କ ସୁବିଧା ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା କରି ଆକର୍ଷଣୀୟ କରିବାକୁ କହିଛନ୍ତି । ପଞ୍ଚାୟତରେ ହେଉଥିବା ମଡେଲ ପ୍ରୋଜେକ୍ଟ ଗୁଡିକୁ ବିନିଯୋଗ କରି ପଞ୍ଚାୟତର ଆୟ ବୃଦ୍ଧି କରିବାକୁ ସେ ପରାମର୍ଶ ଦେଇଛନ୍ତି । ମଡେଲ ପ୍ରୋଜେକ୍ଟ ଗୁଡିକରେ ଅଧ୍ଵ ଲୋକଙ୍କୁ କାମ ଯୋଗାଇ ଦେବା ସହିତ ନିଷ୍ଠାପର ଭାବେ କାର୍ଯ୍ୟ ସମ୍ପାଦନ କରିବାକୁ କହିଛନ୍ତି । ଜିଲ୍ଲାର ସମସ୍ତ ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ମଡେଲ ପ୍ରୋଜେକ୍ଟ ଯଥା- ମଡେଲ ଟ୍ୟାଙ୍କ , ମଡେଲ ରୋଡ , ମଡେଲ ପାର୍କ , ଅମୃତ ସରୋବର , ମିଶନ ଶକ୍ତି ଗୃହ , ଅଙ୍ଗନ ୱାଡ଼ି କେନ୍ଦ୍ର , ଚେକ ଡ୍ୟାମ , କଲ୍ୟାଣ ମଣ୍ଡପ , ଜଳ ସେଚନ ନିମନ୍ତେ ନାଳ ନିର୍ମାଣ , ପନିପରିବା ଚାଷ ନିମନ୍ତେ କୃପ ଖନନ ଆଦିର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ସମସ୍ତ ବିଡିଓ ପାୱାର ପ୍ରେଜେଣ୍ଟେସନ ମାଧ୍ୟମରେ ବୈଠକରେ ଅବଗତ କରାଇଥିଲେ । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ଶ୍ରୀ ତନ୍ମୟ କୁମାର ଦରୱାନ ସମସ୍ତଙ୍କୁ ସ୍ବାଗତ କରି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ମନରେଗାର ଲୋକପାଳ ଶ୍ରୀ ଅମରେନ୍ଦ୍ର ମଲ୍ଲ , ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧ୍ୟାକାରୀ ଶ୍ରୀ ସରୋଜ କୁମାର ଦତ୍ତ ( ପ୍ରଶାସନ ) , ଆର.ଡବ୍ଲ୍ୟୁ.ଏସ.ଏସ , ସୁପରିଣ୍ଟେଣ୍ଡିଙ୍ଗ ଇଞ୍ଜିନିୟର ଶ୍ରୀ ସୁରେନ୍ଦ୍ର କୁମାର ବେହେରା , ସମସ୍ତ ବିଡିଓ , ଆସିଷ୍ଟାଣ୍ଟ ଇଞ୍ଜିନିୟର , ଅ.ପି.ଓ , ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।