ଢେଙ୍କାନାଳରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ ଆଦାନୀ ଗ୍ରୁପ୍ ସଂପର୍କରେ ଜେପିସି ତଦନ୍ତ ଦାବି
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ଗାନ୍ଧି ମନ୍ଦିରଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଦେଶ କଂଗ୍ରେସ କମିଟିର ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଭୁତି ମିଶ୍ର ଯୋଗଦେଇ କହିଥିଲେ, ହିଣ୍ଡେନବର୍ଗ ମାମଲାରେ ଆଦାନୀ ଗ୍ରୁପ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁକମ୍ପା ଦେଖାଉଥିବା କଂଗ୍ରେସ ଅଭିଯୋଗ କରୁଛି । ଜନସାଧାରଣଙ୍କ ଟଙ୍କାକୁ ଭାରତୀୟ ଜୀବନ ବୀମା ନିଗମ ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମୋଦିଙ୍କ ଚାପରେ ଆଦାନୀ କମ୍ପାନୀରେ ଅର୍ଥ ବିନିଯୋଗ କରିଛନ୍ତି । ହିଣ୍ଡେନବର୍ଗ ତା ରିପୋର୍ଟରେ ଆଦାନୀର ଗୁମର ଖୋଲି ଦେଇଥିବାରୁ ଏବେ ମୋଦି ପଦାରେ ପଡିଛନ୍ତି । ଯୁଗ୍ମ ସଂସଦୀୟ କମିଟି ବା ଜେପିସି ତଦନ୍ତ କରିବାକୁ ମୋଦି ଡରୁଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟିର ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଭୁତି ମିଶ୍ର ଢେଙ୍କାନାଳରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ଆଦାନୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କ ପଦର ଅପବ୍ୟବହାର କରୁଛନ୍ତି । ଦେଶର ଗତି ଏବଂ ଅର୍ଥନୀତି କେଉଁସ୍ତରକୁ ଗଲାଣି ତାହା ସାଧାରଣ ଲୋକେ ସମୀକ୍ଷା କରିବା ସମୟ ଆସିଛି । ପାର୍ଲାମେଣ୍ଟ୍ରେ ରାହୁଲ ଗାନ୍ଧୀଙ୍କର ଆଲୋଚନାକୁ ବାଦ୍ ଦେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି କହିବା ସହ ଗଣତନ୍ତ୍ରର ସର୍ବୋଚ୍ଚ ଅନୁଷ୍ଠାନରେ ଏଭଳି ଆଗରୁ କେବେ ଦେଖାଯାଇନଥିଲା ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି । ନବ ଦାସ ହତ୍ୟା ଘଟଣା ପ୍ରସଙ୍ଗରେ ଶ୍ରୀ ମିଶ୍ର ଏଫ୍ବିଆଇ ତଦନ୍ତକୁ ସମାଲୋଚନା କରି ଉଚ୍ଚ ନ୍ୟାୟାାଳୟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ତଦନ୍ତ କରିବା ପାଇଁ ଦାବି କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲା କଂଗ୍ରେସ କମିଟି ସଭାପତି ସରୋଜ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ପିସିସି ସଂପାଦକ ସୁରେଶ ପାଣିଗ୍ରାହୀ, ଜିଲା କଂଗ୍ରେସ ମୁଖପାତ୍ର ପ୍ରେମଶଙ୍କର ମିଶ୍ରଙ୍କ ସମେତ କଂଗ୍ରେସର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ନାବାଳକ ନିଖୋଜ ନେଇ ଗ୍ରାମବାସୀ ଏସ୍ପିଙ୍କ ଦ୍ୱାରସ୍ଥ
ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପାଞ୍ଚକାହାଣିଆ ଗ୍ରାମର ଜଣେ ନାବାଳକ ଗତ ୧୪ ତାରିଖରୁ ନିଖୋଜ ଅଛନ୍ତି । ସେ ଗାଁ ଦାଣ୍ଡରେ ଖେଳୁଥିବାବେଳେ ପରବର୍ତ୍ତୀ ସମୟରେ ତାଙ୍କର କୌଣସି ପତ୍ତା ମିଳିନଥିଲା । ତାଙ୍କୁ କେହି ଉଠାଇ ନେଇଥିବା ନେଇ ପରିବାର ଲୋକେ ସଦର ଥାନାରେ ଅଭିଯୋଗ କରିଥିଲେ । ତେବେ ଘଟଣାକୁ ୧୦ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ୍ ନିଖୋଜ ନାବାଳକକୁ ଠାବ କରିବାରେ ବିଫଳ ହୋଇଛି । ଏହାର ପ୍ରତିବାଦରେ ଗୁରୁବାର ଗ୍ରାମବାସୀ ଓ ପରିବାର ଲୋକ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ନାବାଳକଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି । ନିଖୋଜ ନାବାଳକ ହେଉଛନ୍ତି ପାଞ୍ଚକାହାଣିଆ ଗ୍ରାମର ଅଶୋକ ବେହେରାଙ୍କ ଜ୍ୟେଷ୍ଠପୁତ୍ର ।