ମିଶନଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ସ୍ଥାୟୀ ଚାକିରୀ ଏବଂ ଦରମା ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ଢେଙ୍କାନାଳ , ୨୮ / ୦୧ : ଆମ୍ ଆଦ୍ମୀ ପାର୍ଟି ଢେଙ୍କାନାଳ ଜିଲ୍ଲା ତରଫରୁ ମିଶନଶକ୍ତିରେ ସହାୟକ ଷ୍ଟାଫ୍ ଭାବରେ କାର୍ଯ୍ୟ କରୁଥିବା ଏମ୍କେ , ସିଆର୍ପି , ପ୍ରାଣୀମିତ୍ର , କୃଷିମିତ୍ର ଏବଂ ବ୍ୟାଙ୍କ ମିତ୍ରମାନେ ଦୀର୍ଘ ଦଶବର୍ଷ ଧରି କାର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ ସ୍ଥାୟୀ କରିବା ଓ ତାଙ୍କର ଦରମା ବୃଦ୍ଧି ନହେବାକୁ ନେଇ ଏକ ଦାବୀ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ପ୍ରଦାନ କରିଛନ୍ତି । ଅଭିଯୋଗରେ କହିଛନ୍ତି , ପ୍ରତ୍ୟେକ ପଂଚାୟତରେ କାର୍ଯ୍ୟରତ ଏହି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କୁ ଅଧିକରୁ ଅଧିକ ଦାୟିତ୍ବ ଦେବା ବେଳେ ସେମାନଙ୍କର ଚାକିରୀକୁ ସ୍ଥାୟୀ ନକରିବା ଏବଂ ଦରମା ବୃଦ୍ଧି କରାନଯିବା ସରକାରଙ୍କର କର୍ମଚାରୀ ବିରୋଧୀ ମନୋଭାବକୁ ସ୍ପଷ୍ଟ କରୁଛି । ମିଶନଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍କୁ ନେଇ ବିଜୁ ଜନତା ଦଳ ଦ୍ବାରା ପ୍ରସ୍ତୁତ କରାଯାଇଥିବା ‘ ‘ ଅଲ୍ ଓଡିଶା ଜିପିଏଲ୍ଏଫ୍ ମିଶନ ଶକ୍ତି କର୍ମୀ ସାମୁଖ୍ୟ ’ ’ ମଧ୍ୟ ଏହି ଦାବୀ ପୂରଣ ପାଇଁ ଗତ ଫେବୃଆରୀ ୨୦ ତାରିଖରେ ରାଜରାସ୍ତାକୁ ଓହ୍ଲାଇଥିଲା । ପ୍ରାୟ ୨୦ ହଜାର ଏମ୍କେ , ସିଆର୍ପି , ପ୍ରାଣୀମିତ୍ର , କୃଷିମିତ୍ର , ବ୍ୟାଙ୍କମିତ୍ର ଏବଂ ଏଲ୍ସ୍ପି ଏହି ଆନ୍ଦୋଳନରେ ଓଡିଶାର ବିଭିନ୍ନ ଅଂଚଳରୁ ଯୋଗଦେଇଥିଲା । ଆହୁରି ମଧ୍ୟ ଲିଖିତ ଅଛି , ବିଜୁ ଜନତା ଦଳର ନେତା ସୁବାସ ସିଂହ ଏବଂ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦ୍ଦେଶରେ ଏପ୍ରକାର ଆନ୍ଦୋଳନ ହୋଇଥିଲେ ମଧ୍ୟ ସରକାର ମିଶନଶକ୍ତି ସପୋର୍ଟ ଷ୍ଟାଫ୍ଙ୍କର ନାର୍ଯ୍ୟ ଦାବୀକୁ ଗ୍ରହଣ କରୁନାହାଁନ୍ତି । ତେଣୁ ଆମ୍ ଆଦ୍ମୀ ପାର୍ଟି ତରଫରୁ ମିଶନଶକ୍ତିର ସମସ୍ତ ସପୋର୍ଟ ଷ୍ଟାଫ୍ଙ୍କୁ ସ୍ଥାୟୀ କରାଯାଉ ଏବଂ ସେମାନଙ୍କର ପାରିଶ୍ରମିକ ବୃଦ୍ଧି କରାଯାଉ । ନଚେତ୍ ଆଗାମୀ ଦିନରେ ଏ ଦାବୀ ପୂରଣ ପାଇଁ ଆମ୍ ଆଦ୍ମୀ ପାର୍ଟି ମିଶନଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କୁ ସମସ୍ତ ପ୍ରକାର ସହଯୋଗ କରିବ ଏବଂ ଆନ୍ଦୋଳନକୁ ଅଧିକ ତୀବ୍ରତର କରିବ ବୋଲି ଜିଲ୍ଲା ଆବାହକ ପଙ୍କଜ କୁମାର ନାୟକ ପ୍ରକାଶ କରିଛନ୍ତି ।