ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ ଅବସରରେ ଢେଙ୍କାନାଳରେ ପଞ୍ଚାୟତିରାଜ ଏବଂ ଲୋକସେବା ଦିବସ ପାଳିତ
ଢେଙ୍କାନାଳ ତା ୦୫.୦୩.୨୦୨୩ ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ ଅବସରରେ ପଞ୍ଚାୟତିରାଜ ଏବଂ ଲୋକସେବା ଦିବସ ପାଳିତ ହୋଇଯାଇଛି । ଅତିଥିମାନେ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ଏବଂ ଉପାଧ୍ୟକ୍ଷା ଶ୍ରୀମତୀ ବିଳସିନୀ ସେଠୀ , କଙ୍କଡାହାଡ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ପ୍ରେମାନନ୍ଦ ନାୟକ , ଆର.ଡବ୍ଲ୍ୟୁ.ଏସ.ଏସ . ସୁପରିଣ୍ଟେଣ୍ଡିଙ୍ଗ ଇଞ୍ଜିନିୟର ଶ୍ରୀ ସୁରେନ୍ଦ୍ର କୁମାର ବେହେରା , ମନରେଗାର ଲୋକପାଳ ଶ୍ରୀ ଅମରେନ୍ଦ୍ର ମଲ୍ଲ ଏବଂ ଜିଲ୍ଲା ପରିଷଦର ସଭ୍ୟ , ସଭ୍ୟମାନେ ଓଡିଶାର ସାମଗ୍ରିକ ବିକାଶରେ ବିଜୁ ପଟ୍ଟନାୟକଙ୍କ ଅତୁଳନୀୟ ଅବଦାନ , ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରଚଳନ ଓ ତାର ସୁଫଳ , ତାଙ୍କର ଅଦମ୍ୟ ସାହସିକତା ଓ ବୀରତ୍ବ , ଜାତୀୟତା ପ୍ରେମ , ଗାଁ ବିକାଶ , ନାରୀଶକ୍ତି ଜାଗରଣରେ ତାଙ୍କର ଭୂମିକା , ରାଜନୀତିରେ ବଳିଷ୍ଠ ନେତୃତ୍ବ ଓଡିଶାର ଉନ୍ନତି ନିମନ୍ତେ ତାଙ୍କର ପରିକଳ୍ପନା ସମ୍ପର୍କରେ ଆଲୋକପାତ କରିବା ସହିତ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । ଆଧୁନିକ ଓଡିଶା ଗଠନରେ ଅନନ୍ୟ ବ୍ୟକ୍ତିତ୍ଵ ବିଜୁ ପଟ୍ଟନାୟକଙ୍କ ଅବଦାନ ଚିର ସ୍ମରଣୀୟ । ରାଜ୍ୟର ଅର୍ଥନୈତିକ ବିକାଶ , ତ୍ରୀସ୍ତରୀୟ ଶାସନ ବ୍ୟବସ୍ଥା ପ୍ରଚଳନ , ଶିକ୍ଷା , ସ୍ବାସ୍ଥ୍ୟ , କୃଷି ଓ ଶିଳ୍ପର ଉନ୍ନତି ପାଇଁ ସର୍ବୋପରି ପ୍ରତ୍ୟେକ ଓଡିଶାବାସୀଙ୍କ ଜୀବନ ଧାରଣର ମାନଦଣ୍ଡରେ ବୃଦ୍ଧି ପାଇଁ ସେ ସର୍ବଦା ତତ୍ପର ଥିଲେ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି , ସରକାରୀ ଅଧିକାରୀ ଓ କର୍ମଚାରୀ ଏକ ମନା ହୋଇ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଦିଗର ଗୁରୁତ୍ବଦେଇ ନିଜର ଦାୟୀତ୍ଵ ନିର୍ବାହ କଲେ ଆମ ଜିଲ୍ଲା ରାଜ୍ୟରେ ଏକ ନମ୍ବର ହୋଇପାରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ଏହି ଅବସରରେ , ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଜିଲ୍ଲାର ଶ୍ରେଷ୍ଠ ୧୦ଟି ପଞ୍ଚାୟତକୁ ୧ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା ବେଳେ ୨ଟି ପଞ୍ଚାୟତକୁ ଯଥାକ୍ରମେ ୨ ଲକ୍ଷ ଏବଂ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ଶ୍ରୀ ତନ୍ମୟ କୁମାର ଦରୱାନ ସମସ୍ତଙ୍କୁ ସ୍ବାଗତ ଜଣାଇ ପଞ୍ଚାୟତିରାଜ ବ୍ୟବସ୍ଥାର କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଶେଷରେ ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ଦତ୍ତ ( ପ୍ରଶାସନ ) ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦର ସମସ୍ତ ସଭ୍ୟ – ସଭ୍ୟମାନେ , ସମସ୍ତ ସରପଞ୍ଚ , ବିଭାଗୀୟ ଅଧିକାରୀ , ଜିଲ୍ଲା ପରିଷଦର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ ।