ଆନ୍ତର୍ଜାତୀୟ ମହିଳା ଦିବସ ଏବଂ ସପ୍ତାହ ପାଳନ ଅବସରରେ ଶ୍ରେଷ୍ଠ ମହିଳା କର୍ମୀମାନଙ୍କୁ ପୁରସ୍କାର ପ୍ରଦାନ
ଢେଙ୍କାନାଳ ତା ୦୬.୦୩.୨୦୨୩ ନାରୀ ଶକ୍ତିର ଉତ୍ଥାନ ନିମନ୍ତେ ସାରା ଦେଶରେ ମାର୍କ ୨ ରୁ ୯ ତାରିଖ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ମହିଳା ଦିବସ ଏବଂ ସପ୍ତାହ ପାଳିତ ହେଉଅଛି । ଏହି ଉପଲକ୍ଷେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସବୁ ସମୟରେ ସମାଜରେ ମହିଳାମାନେ ନିଜର ମାନସିକ ଶାସ୍ତ୍ର ଓ ପାରଦର୍ଶିତା ବଳରେ ଉଚ୍ଚ ସ୍ଥାନରେ ଅଧିଷ୍ଠିତ ହୋଇପାରିଛନ୍ତି । ଲିଙ୍ଗଗତ ଭେଦ ଭାବ ଭଲ ନିଜର ଶାରୀରିକ ଏବଂ ମାନସିକ ଶକ୍ତି ବୃଦ୍ଧି କରି , ନିଜେ ନିଜକୁ ସକ୍ଷମ କରାଇ ସମସ୍ତ କାର୍ଯ୍ୟରେ ପୁରୁଷ ଏବଂ ମହିଳାମାନଙ୍କୁ ସମ୍ମାନ ଜଣାଇ ସହଯୋଗ ମନରେ ଆଗେଇ ଆସିବାକୁ ସେ ପରାମର୍ଶ ଦେଇଛନ୍ତି । ମହିଳାମାନେ ନିଜର ମାନସିକତାରେ ପରିବର୍ତ୍ତନ ଆଣି ନିଜକୁ ସଫଳ କରିବାକୁ ସେ ମତବ୍ୟକ୍ତ କରିଛନ୍ତି । ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର କିଶୋରୀ ଓ ନାରୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଓ ନିର୍ଯାତନାକୁ ନ ଲୁଚାଇ ପ୍ରତିକାର ନିମନ୍ତେ ପ୍ରଶାସନ , ସମ୍ପୃକ୍ତ ଅନୁଷ୍ଠାନ ଓ ଲୋକଲୋଚନକୁ ଆଣିବାକୁ ପରାମର୍ଶ ଦେଇଛନ୍ତି । ମତ ବିନିମୟ କରି ସ୍କୁଲ ଓ କଲେଜ ପିଲାମାନଙ୍କୁ ଏଥ୍ନିମନ୍ତେ ସଚେତନ କରାଇବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ( ରାଜସ୍ଵ ) , ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ , ମିଶନ ଶକ୍ତିର ଡିପିସି ଶ୍ରୀମତୀ ମୋନାଲିସା ଭଞ୍ଜ , ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସତ୍ୟନାରାୟଣ ମିଶ୍ର , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସସ୍ମିତା ସାହୁ , ଓ.ଏ.ଭି.ର ଛାତ୍ରୀ ନିଜର ବକ୍ତବ୍ୟ ପ୍ରଦାନ କରି ସାମାଜିକ , ଅର୍ଥନୈତିକ , ରାଜନୈତିକ ଆଦି ସମସ୍ତ କ୍ଷେତ୍ରରେ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି । ଏହି ଅବସରରେ ଜିଲ୍ଲାର ଶ୍ରେଷ୍ଠ ସି.ଡି.ପି.ଓ. , ସୁପରଭାଇଜର , ଅଙ୍ଗନୱାଡି କର୍ମୀ , କିଶୋରୀ ଓ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଏହି ବୈଠକରେ ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ୱାଇଁ , ବିଭିନ୍ନ ବିଭାଗୀୟ ଅଧିକାରୀ , ଆଶା କର୍ମୀ , ଅଙ୍ଗନ ୱାଡି କର୍ମୀ , ସୁପରଭାଇଜର , ବିଭିନ୍ନ ମହିଳା ସଂଗଠନର କର୍ମକର୍ତ୍ତା , ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ ।