ଲଙ୍ଗୁଳିଆବେଡାରେ ଦଶଦୋଳ ଉତ୍ସବ

ଲଙ୍ଗୁଳିଆବେଡାରେ ଦଶଦୋଳ ଉତ୍ସବ

ଅନୁଗୋଳ/ ବଅଁରପାଳ, ୧୬.୩-ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଲଙ୍ଗୁଳିଆବେଡା ଗ୍ରାମ ଯତନନଗର ସାହି ଦୋଳମଣ୍ଡପରେ ଦଶଦୋଳ ପର୍ବ ସମାରୋହରରେ ପାଳିତ ହୋଇଯାଇଛି l ପ୍ରତ୍ୟେକ ବର୍ଷ ଚୈତ୍ର ମାସ କୃଷ୍ଣପକ୍ଷ ଦଶମୀ ତିଥିରେ ଏହି ପର୍ବକୁ ମହା ସମାରୋହରେ ପାଳନ କରିଥାନ୍ତି ଲଙ୍ଗୁଳିଆବେଡା ଗ୍ରାମବାସୀ l ପୂର୍ବାହ୍ନରେ ଗ୍ରାମର ବ୍ରଜେନ୍ଦ୍ର ବିଶ୍ୱାଳ ଙ୍କ ବାସଭବନରୁ ତ୍ରିନାଥ ଠାକୁରଙ୍କୁ ନାମ ସଂକୀର୍ତ୍ତନ ମଧ୍ୟରେ ଦୋଳମଣ୍ଡପକୁ ନିଆଯାଇଥିଲା l ଅପରାହ୍ନରେ ଅକ୍ଷୟ କୁମାର ବିଶୋଇ ଙ୍କ ବାସଭବନରୁ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତୀକୁ ପୂଜାର୍ଚ୍ଚନା କରିବା ପରେ ଏକ ସୁସଜ୍ଜିତ ବିମାନରେ ବିରାଟ ଶୋଭାଯାତ୍ରାରେ ସମଗ୍ର ଗ୍ରାମ ପରିକ୍ରମା କରାଯାଇଥିଲା l ଶୋଭାଯାତ୍ରାରେ ବିଭିନ୍ନ ଗ୍ରାମରୁ ଆସିଥିବା ଗୋପାଳ ଭାଇଙ୍କ ଚିତାକର୍ଷକ ଲଉଡ଼ି ଖେଳ, ପୌରାଣିକ ବିଷୟବସ୍ତୁ ର ଚରିତ୍ର ଉପରେ ବେଶଭୁଷା କଳାକାରଙ୍କ ଅଭିନୟ ଦର୍ଶକଙ୍କୁ ମୁଗ୍ଧ କରିଥିଲା l ଢୋଲ, ନିଶାଣ, ହରିବୋଲ, ହୁଳହୁଳି, ବ୍ୟାଣ୍ଡପାର୍ଟି ଓ ଡିଜେ ସାଉଣ୍ଡ ରେ ଗ୍ରାମ ପ୍ରକମ୍ପିତ ହୋଇଉଠିଥିଲା l ବାଟରେ ମା’ ମାଉସୀ ମାନେ ଝୋଟି କାଟି ବନ୍ଦାପଣା କରିଥଲେ l ପଥ ମଧ୍ୟରେ ଥିବା ଗ୍ରାମର ଚନ୍ଦ୍ରଶେଖର ଶିବ ମନ୍ଦିର ପରିସରରେ ମନ୍ଦିର ପୂଜକ ଗୋଲେଖ ମହାପାତ୍ର ହରିହର ଭେଟ କରାଇଥିଲେ l ଠାକୁର ଯତନନଗରସ୍ଥିତ ଦୋଳମଣ୍ଡପରେ ପହଞ୍ଚିବା ପରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହ ମେଳାକାର୍ଯ୍ୟ ସମ୍ପନ୍ନ କରାଯାଇଥିଲା ଓ ନୂତନ ପାଞ୍ଜି ଉନ୍ମୋଚନ, ପଠନ କରାଯାଇଥିଲା l ଏହି ଅବସରରେ ଯାତ୍ରା ପଡିଆ ରେ ପ୍ରବଳ ଜନସମାଗମ ହୋଇଥିଲା ଓ ଜଳଖିଆ, ମନୋହରୀ, ଘରୋଇ ଉପକରଣ, ଚାର୍ଟ, ଗୁପଚୁପଓ ଫାଷ୍ଟଫୁଡ ଭଳି ଅସ୍ଥାୟୀ ଦୋକାନ ମାନ ଖୋଲିଥିଲା l ଯାତ୍ରା ପରିଚାଳନା କମିଟିର ସଭାପତି ବିରାଜ ସାହୁ, ସମ୍ପାଦକ ପ୍ରଫୁଲ୍ଲ ସାହୁ, ବିନୟ ବିଶୋଇ, ସନ୍ତୋଷ ଦାଶ, କୁଶଧ୍ଵଜ ସାହୁ, ଜିତେନ୍ ସାହୁ, ଅରୁଣ ଦାଶ, ଲିଟୁ ସାହୁ, କାଁହୁ ଦାଶ, ବିରେନ ସାହୁ ଓ ସାଗର ସାହୁ ଙ୍କ ସମେତ ଗ୍ରାମବାସୀ ଯାତ୍ରାରେ ସହଯୋଗ କରିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ କାଣ୍ଡସର ଓ ସୁଲେଇପାଳ ମଧ୍ୟରେ ବାଦଦଣ୍ଡ ଅନୁଷ୍ଠିତ ହୋଇଥିଲା l

Recent Post

Live Cricket Update