ଜିଲ୍ଲା ପରିଷଦ ସମୀକ୍ଷା ବୈଠକ ଅନୁଷ୍ଠିତ
ଢେଙ୍କାନାଳ , ତା , ୧୬ , ୦୩ , ୨୦୨୩– ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସମସ୍ତ ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ମଡେଲ ରୋଡ , ପାର୍କ , ପୋଖରୀ , ଖେଳପଡିଆ , ଅମୃତସରୋବର ପ୍ରକଳ୍ପ ସମେତ ଅନ୍ୟାନ୍ୟ ପ୍ରୋଜେକ୍ଟ ଗୁଡିକୁ ଆଗାମୀ ମାର୍ଚ୍ଚ ମାସ ସୁଦ୍ଧା ଶେଷ କରିବାକୁ ଜିଲ୍ଲାପାଳ ସମସ୍ତ ବିଡିଓ , ଯନ୍ତ୍ରୀ ଏବଂ ଏ.ପି.ଓ. ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ପଞ୍ଚାୟତର ମୌଳିକ ଆବଶ୍ୟକତା ପୂରଣ , ଶିଶୁ ଓ ମହିଳା ମାନଙ୍କ ସାମଗ୍ରିକ ବିକାଶ ନିମନ୍ତେ ବିଡିଓ ମାନେ ଅଧିକ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଜିଲ୍ଲାର ଉଦ୍ୟାନ କୃଷି ଉତ୍ପାଦର ସଂରକ୍ଷଣ ନିମନ୍ତେ ପ୍ରତି ବ୍ଲକରେ ୨୦ ଲକ୍ଷ ଟଙ୍କା ବ୍ୟୟରେ ବିଦ୍ୟୁତ ଏବଂ ସୌରଚଳିତ ଶୀତଳ ଭଣ୍ଡାର ନିର୍ମାଣ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ଏସ.ଆଇ.ଆର.ଡି. ( State Institute of Rural Development ) ର ଅତିରିକ୍ତ ନିର୍ଦ୍ଦେଶିକା ଶ୍ରୀମତୀ ଅମୀତା ପାତ୍ର , ମିଶନ ଅନ୍ତୋଦୟ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ଆସନ୍ତା ମେ ମାସ ୨୭ ତାରିଖ ସୁଦ୍ଧା ଏସ.ଇ.ବି.ସି. ର ସର୍ଭେ ଶେଷକରି ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ପାଇବାରେ ନିଶ୍ଚିତ କରାଇବାକୁ ସେ ବିଡିଓ , ତହସିଲଦାର , ସୁପରଭାଇଜର , ଅଙ୍ଗନୱାଡି କର୍ମୀମାନଙ୍କୁ କହିଥିଲେ । ପଞ୍ଚାୟତରେ ହେଉଥିବା ମଡେଲ ପ୍ରୋଜେକ୍ଟ ଗୁଡିକୁ ବିନିଯୋଗ କରି ପଞ୍ଚାୟତର ଆୟ ବୃଦ୍ଧି ଉପରେ ଗୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇଥିଲେ । ବୈଠକରେ ସମସ୍ତ ବିଡିଓ ବ୍ଲକରେ କାର୍ଯ୍ୟକାରୀ ହେଉଥିବା ମଡେଲ ରୋଡ , ପାର୍କ , ଖେଳପଡିଆ , ପୋଖରୀ , ଅମୃତସରୋବର , ମିଶନ ଶକ୍ତି ଗୃହ , କଲ୍ୟାଣ ମଣ୍ଡପ , ଚେକ ଡ୍ୟାମ , ଜଳସେଚନ ନିମନ୍ତେ ଫିଡର ଚାନେଲ , ଡଗ ୱେଲ ଆଦି ପ୍ରୋଜେକ୍ଟ ଗୁଡିକ ସମ୍ପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ପ୍ରଦର୍ଶିତ କରିଥିଲେ । ଓଡ଼ିଶା ଜୀବିକା ମିଶନ ଏବଂ ମିଶନ ଶକ୍ତିର କାର୍ଯ୍ୟ ସମୀକ୍ଷା ସହିତ ଅଧ୍ଵରୁ ଅଧିକ ଶ୍ରମ ଦିବସ ସୃଷ୍ଟି ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଛି । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ଶ୍ରୀ ତନ୍ମୟ କୁମାର ଦରୱାନ ସମସ୍ତଙ୍କୁ ସ୍ବାଗତ କରି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ଦତ୍ତ ( ପ୍ରଶାସନ ) , ସମସ୍ତ ବିଡିଓ , ଆସିଷ୍ଟାଣ୍ଟ ଇଞ୍ଜିନିୟର , ଏ.ପି.ଓ. , ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।