ଓଡ଼ିଶାରେ ବିଧାୟକ ମାନଙ୍କର ଦରମା ବୃଦ୍ଧି ପୂର୍ବରୁ ବାର୍ଦ୍ଧକ୍ୟ, ବିଧବା ଏବଂ ଭିନ୍ନକ୍ଷମ ମାନଙ୍କ ଭତ୍ତା ଦୁଇ ହଜାର ପାଞ୍ଚଶହକୁ ବୃଦ୍ଧି କରିବାକୁ ଆମ୍ ଆଦମୀ ପାର୍ଟିର ଦାବି
ଓଡିଶା ବିଧାନସଭାରେ ସମସ୍ତ ରାଜନୈତିକ ଦଳର ବିଧାୟକ ମାନେ ମିଳିତ ଭାବରେ ସେମାନଙ୍କର ଦରମା ବୃଦ୍ଧି ପାଇଁ ଦାବି କରିଛନ୍ତି l ଦରଦାମ ଅତ୍ୟଧିକ ବଢିଯାଇଥିବାରୁ ସେମାନେ ପାଉଥିବା ଏକ ଲକ୍ଷ ଟଙ୍କା ଯଥେଷ୍ଟ ନୁହେଁ ବୋଲି ସେମାନେ ମତ ଦେଇଛନ୍ତି l ଏ ସଂକ୍ରାନ୍ତରେ ଦିଲ୍ଲୀର ଉଦାହରଣ ଦେଇ ଏକ ମିଥ୍ୟା ତଥ୍ୟ ମଧ୍ୟ ଦେଇଛନ୍ତି l
ଦିଲ୍ଲୀରେ ବିଧାୟକ ମାନେ ଚାରି ଲକ୍ଷ ଟଙ୍କା ଦରମା ପାଉଛନ୍ତି ଏବଂ ଏମାନେ ମାତ୍ର ଏକ ଲକ୍ଷ ଟଙ୍କା ଦରମା ପାଉଛନ୍ତି ବୋଲି କହିଛନ୍ତି l ମାତ୍ର ଏହି ତଥ୍ୟ ସମ୍ପୂର୍ଣ ମିଥ୍ୟା ଅଟେ l ଦିଲ୍ଲୀରେ ବିଧାୟକ ମାନେ ଆଗରୁ ୫୪ ହଜାର ଟଙ୍କା ଦରମା ପାଉଥିଲେ l ଏହି ବର୍ଷ ଫେବୃଆରୀ ମାସରୁ ସେମାନଙ୍କ ଦରମା ୯o ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି l ଦିଲ୍ଲୀରେ ବିଧାୟକ ମାନଙ୍କ ପାଇଁ ଗୃହ ନ ଥିବାରୁ ଭଡା ଘରେ ରୁହନ୍ତି l ଦେଶର ରାଜଧାନୀରେ ଦୀର୍ଘ ବାର ବର୍ଷ ପରେ ବିଧାୟକମାନଙ୍କ ଦରମାକୁ ମାତ୍ର ନବେ ହଜାର କରାଯାଇଛି l
ଅତି ଦୁଃଖ ଏବଂ ପରିତାପର ବିଷୟ ଓଡ଼ିଶାରେ ଦିଲ୍ଲୀର ବିଧାୟକ ମାନଙ୍କ ଦରମା ଚାରି ଲକ୍ଷ ଟଙ୍କା ବୋଲି ମିଥ୍ୟା ପ୍ରଚାର କରି ଏଠି ଦରମାକୁ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା କରିବା ପାଇଁ ଉଦ୍ୟମ ହେଉଛି l ଏହା ଜନସାଧାରଣଙ୍କ ପ୍ରତି ପ୍ରତାରଣା ଅଟେ l
ଯଦି ବିଧାୟକମାନେ ଜାଣୁଛନ୍ତି ଦରଦାମ ବହୁତ ବଢିଛି ଏବଂ ଚଳିବାକୁ ଅସୁବିଧା ହେଉଛି ତେବେ ପ୍ରଥମେ ବାର୍ଦ୍ଧକ୍ୟ, ବିଧବା ଏବଂ ଭିନ୍ନକ୍ଷମ ଭତ୍ତାକୁ ଦୁଇ ହଜାର ପାଞ୍ଚଶହ କରିବା ପାଇଁ ଆମ୍ ଆଦମୀ ପାର୍ଟି ଦାବି କରୁଛି l ମାତ୍ର ପାଞ୍ଚଶହ ଟଙ୍କାରେ ଚଳିବା ଏହି ବର୍ଗର ଲୋକଙ୍କ ପାଇଁ ଅତ୍ୟନ୍ତ ଯନ୍ତ୍ରଣା ଦାୟକ l ତେଣୁ ବିଧାୟକ ମାନଙ୍କ ଦରମା ବୃଦ୍ଧି ପୂର୍ବରୁ ଏମାନଙ୍କର ଭତ୍ତା ରାଶିକୁ ବୃଦ୍ଧି କରିବା ପାଇଁ ସରକାର ନିଷ୍ପତ୍ତି ନେବା ପାଇଁ ଆମ ଆଦମୀ ପାର୍ଟି ଦାବି କରୁଛି l ଏହି ପ୍ରେସ ବାର୍ତ୍ତା ରେ ଜିଲ୍ଲା ଆବାହକ ପଙ୍କଜ ନାୟକ, ମିଡ଼ିଆ ପ୍ରଭାରୀ ଜିତେନ୍ଦ୍ର ବେହେରା, କାର୍ଯ୍ୟାଳୟ ସମ୍ପାଦକ ଚିନ୍ମୟ ସେନାପତି, ଯୁବ ସଂଗଠକ ଦେବାଶିଷ ବେହେରା, ସଦସ୍ୟ ଦିବ୍ୟଜ୍ୟୋତି ବେହେରା ପ୍ରମୁଖ ଉପସ୍ଥିତ ଥିଲେ l