ଓଡ଼ିଶା ଓକିଲ ଦିବସ ପାଳିତ
-କଟକ ତା ୨୮. ୦୪. ୨୦୨୩ରିଖ—ଓଡିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ “ଲିଗାଲ ଏଡ୍ କାଉନସିଲ” ପକ୍ଷରୁ କଟକ ଦେଉଳ ସାହି ଠାରେ ଓଡିଶା ଓକିଲ ଦିବସ ଅବସରରେ ୭୫ତମ ମଧୁ ଜୟନ୍ତୀ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଂପାଦକ ଆଡଭୋକେଟ ଦେବେନ୍ଦ୍ର ନାରାୟଣ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସ ଙ୍କ ସ୍ଵାଭିମାନ ଓ ଓଡ଼ିଆ ପ୍ରୀତି ଉପରେ ଆଲୋକପାତ କରିଥିଲେ। ଆଡଭୋକେଟ ଅନିତା ସାହୁ ଓ ଆଡଭୋକେଟ ସୁନୀତା ସାହୁ ପ୍ରାରମ୍ଭରେ ଉତ୍କଳ ବନ୍ଦନା ଗାନ କରିଥିଲେ। ସଂଗଠନର ବରିଷ୍ଠ କାର୍ଯ୍ୟକର୍ତ୍ତା ଆଡଭୋକେଟ ଦୁଃଖି ଶ୍ୟାମ ଦାସ ଅଧ୍ୟକ୍ଷତା କରି କହିଲେ ଯେ ଉତ୍କଳ ଗୌରବ ମଧୁସୂଦନ ଦାସ ଥିଲେ ଓଡ଼ିଆ ସ୍ବାଭିମାନର ମହାନ୍ ଜନନେତା। ସେ ଥିଲେ ପ୍ରଥମ ଗ୍ରାଜୁଏଟ, ପ୍ରଥମ ପୋଷ୍ଟ ଗ୍ରାଜୁଏଟ ଓ ପ୍ରଥମ ଓଡ଼ିଆ ଓକିଲ। ଓକିଲାତି ଜୀବନ ତାଂକର ସଂଘର୍ଷଯୟ। ପ୍ରଚଣ୍ଡ ସ୍ବାଭିମାନୀ ମଧୁବାବୁ କୌଣସି ପରିସ୍ଥିତିରେ ହାରିଯିବା ବ୍ୟକ୍ତି ନ ଥିଲେ। ସେ ଚାରିଗୋଟି ବିରାଟ ମୋକଦ୍ଦମାରେ ଲଢି ବିରୋଧୀ ମାନଙ୍କ ମୁହଁ କଳାପକାଇ ଦେଇଥିଲେ। ତାହା ହେଲା:- ପୁରୀ ରାଜାଙ୍କ ମୋକଦ୍ଦମା, ମାନସିଂହ ପାଟଣା ଡକାୟତି, ଖଣ୍ଡପଡ଼ା ରାଜାଙ୍କ ମୋକଦ୍ଦମା ଓ କେନ୍ଦୁଝର ରାଜାଙ୍କ ମୋକଦ୍ଦମା। ଆଡଭୋକେଟ ସାବ୍ୟସାଚୀ ଦାସ କହିଲେ ଯେ ମଧୁବାବୁ ଜଣେ ସାହିତ୍ୟିକ ହିସାବରେ ଅଗ୍ରଗଣ୍ୟ ଥିଲେ। ୭ଗୋଟି ଦେଶପ୍ରେମ ବୋଧକ କାଳଜୟୀ କବିତା ରଚନା କରି ସେ ଅମରକୃତି ବହନ କରିଛନ୍ତି। ଉତ୍କଳ ସମ୍ମିଳନୀ ଗଠନ କରି ସେ ଓଡ଼ିଶାକୁ ସ୍ଵତନ୍ତ୍ର ପ୍ରଦେଶ ଗଠନ କରିବା ଦିଗରେ ସଫଳତା ହାସଲ କରିଛନ୍ତି ଓ ଅମର ହୋଇ ରହିଛନ୍ତି ବୋଲି ଉପସ୍ଥିତ ବକ୍ତାମାନେ ଯଥା:-ଆଡଭୋକେଟ ସର୍ବ ଶ୍ରୀ ମହେନ୍ଦ୍ର କୁମାର ମହାପାତ୍ର, ସବିତା ଜେନା, ଈଶ୍ୱର ଚନ୍ଦ୍ର ପ୍ରଧାନ, ସାରଦା ଦାଶ, ସ୍ଵର୍ଣ୍ଣ ପ୍ରଭା ସାହୁ , ବିଭୁପ୍ରସାଦ ସ୍ବାଇଁ ପ୍ରମୁଖ ଅଭିଭାଷଣ ପ୍ରଦାନ ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଆଡଭୋକେଟ ଅବନ୍ତି ବେହେରା।