ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ରେ ଯୁବକ ଗିରଫ.
ଵ୍ରହ୍ମପୁର : ଜୈନିକା ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ କରିଥିବା ଅଭିଯୋଗରେ ବଡ଼ ବଜାର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଜଣକ ହେଲେ ଜରଡ଼ା ଥାନା ଅନ୍ତର୍ଗତ ସୁରଙ୍ଗୀ ଜାନୀସାହିର ସିମ୍ପନ ଜାନୀ ଓରଫ କାଳିଆ(୨୦)ବୋଲି ପୁଲିସ କହିଛି । ଅନ୍ୟ ପକ୍ଷରେ ଅପହରଣ ହୋଇଥିବା ନାବାଳିକାଙ୍କୁ ପୁଲିସ ୧୮ତାରିଖରେ ଗୋଳନ୍ତରା ଥାନା ଅଞ୍ଚଳରୁ ଉଦ୍ଧାର କରିଛି। ପୁଲିସ ଉଭୟ ପିଡ଼ିତା ଓ ଅଭିଯୁକ୍ତଙ୍କ ମେଡିକାଲ ଟେଷ୍ଟ କରିଛି । ଆଜି କୋର୍ଟରେ ପିଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ସୂଚନାଯୋଗ୍ୟ ଯେ, ଗତ ୧୬ତାରିଖରେ ବଡ଼ ବଜାର ଥାନା ଅଞ୍ଚଳର ୧୬ ବର୍ଷିୟ ନାବାଳିକା ଝିଅଙ୍କୁ କେହି ଜଣେ ଅପହରଣ କରି ନେଇଥିବା ନାବାଳିକାଙ୍କ ବାପା ଜାଣିବାକୁ ପାଇଲେ । ଏ ନେଇ ନାବାଳିକାଙ୍କ ପରିବାର ଲୋକେ ବଡ଼ ବଜାର ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ କାଳିଆ ଏହି ନାବାଳିକାଙ୍କୁ ଅପହରଣ କରି ନେଇଥିବା ପୁଲିସ ଜାଣିବାକୁ ପାଇଥିଲା ।ପରେ ପୁଲିସ କାଳିଆଙ୍କ ମୋବାଇଲ୍ ଟ୍ରାକିଂ କରିଥିଲା । ଏହିକ୍ରମରେ ପୁଲିସ ନାବାଳିକାକୁ ଗୋଳନ୍ତରାରୁ ଉଦ୍ଧାର କରି ସେଠାରେ କାଳିଆକୁ କାବୁ କରିଥିଲା । କାଳିଆ ନାବାଳିକାଙ୍କୁ ଅପହରଣକରି ନେଇ ଗୋଳନ୍ତରାର ଏକ ଭଡ଼ା ଘରେ ରଖିଥିଲେ ପୁଲିସ ଆଗରେ କହିଥିଲେ । ସେଠାରେ ନାବାଳିକାଙ୍କ ଅନିଚ୍ଛାସତ୍ତ୍ୱେ କାଳିଆ ଦୁଷ୍କର୍ମ କରିଥିଲା ବୋଲି ପିଡ଼ିତା ପୁଲିସ ନିକଟରେ ବୟାନ ଦେଇଥିଲେ। ନାବାଳିକାଙ୍କ ବୟାନକୁ ଆଧାର କରି ପୁଲିସ କାଳିଆଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ ଭୂପତି କହିଛନ୍ତି ।