ଫାଇଲେରିଆ ଔଷଧ ସେବନ ନିମନ୍ତେ ଜିଲ୍ଲା ସ୍ତରୀୟ ସମନ୍ବୟ ବୈଠକ । ଜିଲ୍ଲାକୁ ଫାଇଲେରିଆ ମୁକ୍ତ କରିବାକୁ ଗୁରୁତ୍ବାରୋପ ।
ଅନୁଗୋଳ : ତା.୦୯.୦୬: – ଅନୁଗୋଳ ଜିଲ୍ଲାରେ ସାମୁହିକ ଫାଇଲେରିଆ ଔଷଧ ସେବନ ନିମନ୍ତେ ଜିଲ୍ଲା ସ୍ତରୀୟ ସମନ୍ବୟ ବୈଠକ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ ଡା. ତ୍ରିଲୋଚନ ପ୍ରଧାନ ଅଧ୍ୟକ୍ଷତା କରି କହିଥିଲେ ଯେ ଆସନ୍ତା ଅଗଷ୍ଟ ମାସ ୧୦ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଚାଲିବ । ଯେପରି ସମସ୍ତେ ଖାଦ୍ୟ ଖାଇ ସାରି ଫାଇଲେରିଆ ଔଷଧ ସେବନ କରିବେ ସେଥିପ୍ରତି ଗୁରୁତ୍ଵ ଦେଇଥିଲେ । କେବଳ ୨ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଓ ଗୁରୁତର ଅସୁସ୍ଥ ଥିବା ବ୍ୟକ୍ତି ଔଷଧ ଖାଇବେ ନାହିଁ । ୬ ବର୍ଷରୁ କମ୍ ବୟସର ଶିଶୁ,ଗର୍ଭବତୀ ମହିଳା ଓ ନିକଟରେ ପ୍ରସବ କରିଥିବା ମାଆମାନଙ୍କୁ ଏକ ସପ୍ତାହ ମଧ୍ୟରେ ଆଇଭରମାକ୍ଟିନ୍ ବଟିକା ଖାଇବେ ନାହିଁ । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଆଞ୍ଚଳିକ ସଂଯୋଜକ ଡା. ଦେବକାନ୍ତ ନାୟକ ପାଓ୍ବାର ପଏଣ୍ଟ ମାଧ୍ୟମରେ ସାମୁହିକ ଔଷଧ ସେବନର ଗୁରୁତ୍ବ ବିଷୟରେ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା.ପୂର୍ଣ୍ଣିମା ଉଦଗାତା ଫାଇଲେରିଆ ଔଷଧର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ ଓ ସମ୍ପୂର୍ଣ୍ଣ ନିରାପଦ ବୋଲି କହିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ସାହୁ, ଡା.ଦିଲ୍ଲିପ କୁମାର ପଟ୍ଟନାୟକ, ଡା. ମାନସ ରଞ୍ଜନ ବିଶ୍ବାଳ, ଡା.ଧନେଶ୍ବର ବେହେରା,ଦିପକ କୁମାର ମହାନ୍ତି, ସମସ୍ତ ବିଭାଗୀୟ ଅଧିକାରୀମାନଂକ ସମେତ ନାଲ୍କୋ ଓ ଜେ ଏସ୍ ପି ଏଲର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ । ଉପସ୍ଥିତ ସମସ୍ତ ସଦସ୍ୟମାନେ ସଙ୍କଳ୍ପ ନେଇ ଜିଲ୍ଲାକୁ ଫାଇଲେରିଆ ମୁକ୍ତ କରିବାକୁ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା । ଜିଲ୍ଲା ଭେକ୍ଟର ବାହିତ ରୋଗ ଅଧିକାରୀ ନିରୁପମା ଦାସ ସଂଯୋଜନା କରିଥିଲେ । ଆମ ଜିଲ୍ଲାର କଣିହାଁ,ତାଳଚେର ଓ କିଶୋରନଗର ବ୍ଳକ ବ୍ୟତିତ ଅନ୍ୟ ସମସ୍ତ ବ୍ଲକରେ ଅଗଷ୍ଟ ୧୦ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ପାଇଁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଚାଲିବ ଏବଂ ଏହାର ବ୍ୟାପକ ପ୍ରଚାର ପ୍ରସାର ନିମନ୍ତେ ଡା.ପ୍ରଧାନ ସମସ୍ତଙ୍କର ସହଯୋଗ ଲୋଡିଥିଲେ ।