ସ୍ଥାନୀୟ ଅଞ୍ଚଳବାସୀ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି
ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ନରେନ୍ଦ୍ରପୁରସ୍ଥିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ କମ୍ପାନୀରେ ମଙ୍ଗଳବାର ବଡ଼ଧରଣର ଦୁର୍ଘଟଣା ଘଟିଛି। ଅପରାହ୍ନ ପ୍ରାୟ ୧ଟାରେ କାରଖାନାର ବ୍ଲାଷ୍ଟ ଫର୍ନେଶ ଷ୍ଟିମ୍ ଲାଇନ୍ ଫାଟି ଉତ୍ତପ୍ତ ବାଷ୍ପ ନିର୍ଗମନ ହେବାରୁ ୨ ଅଧିକାରୀଙ୍କ ସମେତ ୧୮ ଶ୍ରମିକ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅବସ୍ଥା ସଙ୍ଗିନ ଥିବାରୁ ଜଣଙ୍କୁ ଆଇସିୟୁରେ ଏବଂ ଅନ୍ୟ ୬ ଜଣଙ୍କୁ ସେମି ଆଇସିୟୁରେ ଚିକିତ୍ସା କରାଯାଉଛି। ଅବଶିଷ୍ଟ ୧୧ ଜଣ କାଜୁଆଲିଟିରେ ଚିକିତ୍ସିତ ହେଉଛନ୍ତି। ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରି ସେମାନଙ୍କୁ ଅନ୍ୟ ଓ୍ବାର୍ଡକୁ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।ପରେ ଫ୍ୟାକ୍ଟ୍ରି ଓ ବଏଲର୍ସ ଡେପୁଟି ଡାଇରେକ୍ଟରଙ୍କ ଦ୍ୱାରା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ଦୁର୍ଘଟଣା ପରେ କମ୍ପାନୀ ମୁଖ୍ୟ ଫାଟକ ଦେଇ କାହାରିକୁ ଛଡ଼ାଯାଇ ନ ଥିଲା। ଏହାକୁ ନେଇ ସେଠାରେ ଚାପା ଉତ୍ତେଜନା ଦେଖାଦେଇଥିଲା। ମୋଟଙ୍ଗା, କଣ୍ଟାବଣିଆ ଥାନା ପୋଲିସ ପହଞ୍ଚତ୍ ସ୍ଥିତି ନିୟନ୍ତ୍ରଣ କରିଥିଲା। ଏହାପରେ ଜିଲାପାଳ ସରୋଜ କୁମାର ସେଠୀ, ଏସ୍ପି ଜ୍ଞାନରଞ୍ଜନ ମହାପାତ୍ର, ଓଡ଼ାପଡ଼ା ତହସିଲଦାର ବାଣୀ ନିବେଦିତା ସ୍ବାଇଁ, ସଦର ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ ପ୍ରମୁଖ ପ୍ଲାଣ୍ଟ ଭିତରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏ ସମ୍ପର୍କରେ କମ୍ପାନୀର ମୁଖ୍ୟ କର୍ପୋରେଟ ସର୍ଭିସେସ୍ ମୋହିତ ଦାସ କୁହନ୍ତି, ଷ୍ଟିମ୍ ପାଇପ୍ ମରାମତି ବେଳେ ହଠାତ୍ ଲିକେଜ୍ ହୋଇ ଏଭଳି ଘଟଣା ଘଟିଛି। ଭୂଷଣ ପରିଚାଳନାରେ ଥିବାବେଳେ ୨୦୦୭ ରୁ ୨୦୧୩ ମଧ୍ୟରେ କମ୍ପାନୀରେ ଦୁର୍ଘଟଣା ଘଟି ପ୍ରାୟ ୬୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଟାଟା ହାତକୁ କମ୍ପାନୀ ଆସିବା ପରେ କାରଖାନାର ବିପଜ୍ଜନକ ସ୍ଥାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କୁହାଯାଉଛି। ହେଲେ ମଙ୍ଗଳବାର ଦୁର୍ଘଟଣା ଏକାଧିକ ପ୍ରଶ୍ନ ସ୍ରୁଷ୍ଟି କରାଇଛି। କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ଏହା ବୈଷୟିକଜନିତ ନା ମନୁଷ୍ୟକୃତ, ଯଦି ବୈଷୟିକ ତେବେ ପୂର୍ବରୁ ରୁଟିନ୍ ଯାଞ୍ଚ କରାଯାଇଥିଲା କି ନାହଁ। ଏସବୁର ନିରପେକ୍ଷ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହୋଇଛି। ଅନ୍ୟପଟେ ଅଘଟଣକୁ ନେଇ ଶ୍ରମିକଙ୍କ ସମ୍ପର୍କୀୟ ମୁହଁ ଖୋଲିଛନ୍ତି। କାରଖାନାରେ ପରିଚାଳନାଗତ ତ୍ରୁଟି ପାଇଁ ଏଭଳି ଦୁଃଖଦ ଘଟଣା ଘଟିଥିବା ସେମାନେ ଅଭିଯୋଗ କରିଛନ୍ତି।