ପବିତ୍ର ରଥଯାତ୍ରା ମହା ସମାରୋହରେ ସମ୍ପନ୍ନ
ଅନୁଗୋଳ – ଆଜି ଅନୁଗୋଳ ଜିଲ୍ଲାର ବିଭିନ୍ନ ସହର ଓ ଗ୍ରାମ ମାନଙ୍କରେ ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ତିନି ରଥରେ ପ୍ରଭୁ ବଳଭଦ୍ର, ମାତା ସୁଭଦ୍ରା ଓ ପ୍ରଭୁ ଜଗନ୍ନାଥଙ୍କ ସହ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ନେଇ ବଡ଼ଦାଣ୍ଡରେ ମାଉସୀ ମାଙ୍କ ମନ୍ଦିରରେ ପହଞ୍ଚି ଥିଲେ। ଆଜି ଅନୁଗୋଳ ଜିଲ୍ଲା ବଅଁରପାଳ ପଞ୍ଚ ଶ୍ରୀକ୍ଷେତ୍ର ମନ୍ଦିରରୁ ତିନି ଠାକୁର ପହଣ୍ଡି ବିଜେ କରି ତିନି ରଥରେ ବିଜେ ହୋଇଥିଲେ। ଆଜି ତିନି ରଥରେ ଅନୁଗୋଳ ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ବିଧାନସଭା ଉପ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ ଛେରା ପହଁରା କରିଥିଲେ। ଦିନ ସାଢେ଼ ଚାରିଟା ବେଳେ ପୂଜା ଅର୍ଚ୍ଚନା ସରିବା ପରେ ରଥ ଯାତ୍ରା ଆରମ୍ଭ ହୋଇଥିଲା। ଶଙ୍ଖ, ହରିବୋଲ ହୁଳହୁଳି ଭଜନ କୀର୍ତ୍ତନ ଶଦ୍ଧରେ ପଞ୍ଚାଶ୍ରିକ୍ଷେତ୍ର ପରିବେଶ ଭକ୍ତିମୟ ହୋଇଯାଇଥିଲା। ପ୍ରଭୁ ଜଗନ୍ନାଥଙ୍କ ଓ ମାତା ସୁଭଦ୍ରା ଏବଂ ପ୍ରଭୁ ବଳଭଦ୍ର ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁମାନେ ଏହି ରଥ ଯାତ୍ରା ରେ ଯୋଗ ଦେଇଥିଲେ। ବିଭିନ୍ନ ସଂସ୍ଥା ଓ ସଂଗଠନ ପକ୍ଷରୁ ଖେଚେଡ଼ି, ଦହି ସରବତ ଏବଂ ସ୍କ୍ୱାଶ ପାଣି ବଣ୍ଟନ କରାଯାଇଥିଲା। ଆଜି ମାତା ସୁଭଦ୍ରା ଙ୍କ ଦେବଦଳନ ରଥକୁ ସ୍ଥାନୀୟ ଅଂଚଳର ଶହ ଶହ ମହିଳା ମାନେ ଟାଣି ଥିଲେ। ପ୍ରଥମେ ବଳଦେବଜୀଉ ଙ୍କ ତାଳଧ୍ଵଜ ରଥ ମାଉସୀ ମା ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥିଲା। ପରେ ପରେ ଦେବଦଳନ ଓ ଶେଷରେ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଉପରେ ମହାପ୍ରଭୂ ଜଗନ୍ନାଥ ବିରାଜମାନ ହୋଇ ମାଉସୀ ମା ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ମାଉସୀ ମା ଗୁଣ୍ଡିଚା ମନ୍ଦିରରେ ପ୍ରଥମେ ବଳଦେବଜୀଉ ଙ୍କ ତାଳଧ୍ଵଜ ରଥ, ପରେ ପରେ ଦେବଦଳନ ଓ ଶେଷରେ ନନ୍ଦିଘୋଷ ରଥ ପହଞ୍ଚିଥିଲା। ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସ୍ବେଚ୍ଛସେବୀ ମାନେ ଓ ପଞ୍ଚଶ୍ରୀକ୍ଷେତ୍ର ମନ୍ଦୀର କମିଟି ସଦସ୍ୟ ମାନେ ଉପସ୍ଥିତ ରହି ରଥଯାତ୍ରା ସମାରୋହ ଅନୁଷ୍ଠିତ ହୋଇଥିଲା। ଆଜି ଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ତିନି ଠାକୁରଙ୍କ ସମସ୍ତ ନିତି ମାଉସୀ ମା ମନ୍ଦିର ରେ ଅନୁଷ୍ଠିତ ହେବ।