ରାଜ୍ୟର ଜନଜାତି କୃଷକମାନଙ୍କ ଦ୍ବାରା ସଂରକ୍ଷିତ ମାଣ୍ଡିଆର ଭୂ-ପ୍ରଜାତିକୁ ବିହନ ପ୍ରଣାଳୀରେ ଜାରି କରିବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟର ମାନ୍ୟତା ହାସଲ କରିଛି। କୃଷି ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁନ୍ଦ୍ରାବାଟି, ଲକ୍ଷ୍ମିପୁର-କାଳିଆ, ମାଲ୍ୟମାମି ଏବଂ ଗୁପ୍ତେଶ୍ୱର ଭାରତୀ ଆଦି ନାମରେ ୪ଟି ଭୂ-ପ୍ରଜାତିକୁ ବିହନ ପ୍ରଣାଳୀରେ ଜାରି କରାଯାଇଛି।
ଉପଯୁକ୍ତ ବୈଜ୍ଞାନିକ ପଦ୍ଧତି ଏବଂ ପାରମ୍ପରିକ ଜ୍ଞାନ କୌଶଳର ମିଶ୍ରଣରେ ମାଣ୍ଡିଆ ଭୂ-ପ୍ରଜାତି ବିକଶିତ ହେବା ଫଳରେ କୃଷି ଜୈବିକ ବିବିଧତାର ମୂଳାଧାରରେ ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ଆସିପାରିବ ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି।
ପାରମ୍ପରିକ ମାଣ୍ଡିଆ ଭୂ-ପ୍ରଜାତିର କିସମ ସ୍ଥାନୀୟ ମୃତିକା ଓ ଜଳବାୟୁ ଅନୁକୂଳ ହୋଇଯାଇଛି। ଏହି କିସମ ରୋଗପୋକ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରତି ମଧ୍ଯ ସହନଶୀଳ ଅଟେ। ଜନଜାତି ସଂପ୍ରଦାୟର କୃଷକମାନେ ଅନାଦିକାଳରୁ ବିଭିନ୍ନ ମାଣ୍ଡିଆ କିସମର ସଂରକ୍ଷକ ଭାବରେ ବିବେଚିତ ହୋଇ ଆସୁଛନ୍ତି।
ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ମିଲେଟ୍ ମିଶନ୍ ମାଧ୍ୟମରେ ଏହିସବୁ ଭୂ-ପ୍ରଜାତି ନିମନ୍ତେ ମାନକ ସଂଚାଳକ ପ୍ରକ୍ରିୟା ବିକଶିତ କରିଛନ୍ତି।