୭୭ତମ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟବାସୀଙ୍କୁ ଉଦ୍ବୋଧନ:
“ପ୍ରିୟ ଭାଇ ଓ ଭଉଣୀମାନେ,
ଆଜି ୧୫ ଅଗଷ୍ଟ । ସ୍ୱାଧୀନତା ଦିବସ। ଏହି ପବିତ୍ର ଦିବସରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନନ୍ଦନ।
ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ଶହୀଦ ଲକ୍ଷ୍ମଣ ନାଏକ, ଶହୀଦ ବିର୍ସା ମୁଣ୍ଡା, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ମା ରମାଦେବୀ, ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ୍ ସଂଗ୍ରାମୀ ମାନଙ୍କୁ ମୋର ସମ୍ମାନ ଜଣାଉଛି।
ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଅମର ଜୱାନ ମାନଙ୍କ ପ୍ରତି ମଧ୍ୟ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଭାରତର ସ୍ୱାଧୀନତା ସଂଗ୍ରାମ ବିଶ୍ୱ ଇତିହାସରେ ଏକ ନୂଆ ଯୁଗ ଆରମ୍ଭ କରିଥିଲା। ଏ ସଂଗ୍ରାମ ସମସ୍ତଙ୍କ ପାଇଁ ପ୍ରେରଣା ଥିଲା।
ଆଜି ଭାରତ ବିଶ୍ୱର ଏକ ପ୍ରମୁଖ ଶକ୍ତି ଭାବରେ ନିଜକୁ ପ୍ରତିଷ୍ଠା କରିପାରିଛି। ବିଭିନ୍ନ କ୍ଷେତ୍ରରେ ବିକାଶ ଆମର ଆତ୍ମବିଶ୍ୱାସ ବୃଦ୍ଧି କରିଛି। ଚନ୍ଦ୍ରଯାନ-୩ ସ୍ପେସ୍ ରିସର୍ଚ୍ଚ କ୍ଷେତ୍ରରେ ଭାରତର ଗୌରବ ବୃଦ୍ଧି କରିଛି।
ଓଡିଶା ଆଜି ରୂପାନ୍ତର ଯୁଗରେ ପହଞ୍ଚିଛି। ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଭିତ୍ତିଭୂମି ଆଦି ବିକାଶର ସବୁ କ୍ଷେତ୍ରରେ 5-T ନୀତି ନୂଆ ଆଶା ସୃଷ୍ଟି କରିଛି। ରାଜ୍ୟର ସବୁ ଲୋକ- ଧନୀ, ଗରିବ, ମଧ୍ଯମବର୍ଗ, ସମସ୍ତେ ଏ ରୂପାନ୍ତରରେ ସାମିଲ ହୋଇଛନ୍ତି।
ଓଡିଶାର ଅର୍ଥନୀତି ମଜବୁତ ହେଉଛି। ଗରିବୀ କମିଛି। ଓଡିଶାକୁ ଏବେ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସୁଛି। ଯୁବକମାନଙ୍କ ପାଇଁ ନିଯୁକ୍ତିର ବିପୁଳ ସୁଯୋଗ ଆସିଛି
ସଶକ୍ତିକରଣ ପାଇଁ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଜରୁରୀ।
ରାଜ୍ୟରେ ୪୩୭୩ ପଞ୍ଚାୟତରେ ରାଜ୍ୟ ସରକାର ବ୍ୟାଙ୍କିଙ୍ଗ ଆଉଟଲେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ବାରା ରାଜ୍ୟର ସବୁ ପଞ୍ଚାୟତର ଲୋକମାନେ ବ୍ୟାଙ୍କିଙ୍ଗ ସେବା ପାଇପାରିବେ। ଏହାଦ୍ୱାରା ସବୁଠାରୁ ଅଧିକ ଉପକାର ପାଇବେ ବରିଷ୍ଠ ନାଗରିକ, ଆମର ମା ମାନେ ଏବଂ ଭିନ୍ନକ୍ଷମ ଭାଇ ଭଉଣୀ ମାନେ।
ଆପଣ ଜାଣନ୍ତି, ମଧୁବାବୁ ପେନ୍ସନ ଯୋଜନାରେ ନିକଟରେ ଆଉ ୪ ଲକ୍ଷରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଛି। ଆଜିଠାରୁ ନୂଆ ହିତାଧିକାରୀ ମାନେ ପେନ୍ସନ ପାଇବେ।
ପ୍ରତି ଜୀବନ ମୂଲ୍ୟବାନ। ଆମର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏ ଦିଗରେ ସଫଳତାର ସହ ସେବା ଯୋଗାଉଛି। ଉତ୍ତମ ସ୍ବାସ୍ଥ୍ୟ ସେବା ନିଶ୍ଚିତ କରିଛି ବିଏସକେୱାଇ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବଡ ରୂପାନ୍ତର ଆଣିଛି।
ମା ମାନେ ହେଉଛନ୍ତି face of development. Mission Shakti ଆଜି ମା ମାନଙ୍କ Transformationର Engine ହୋଇଛି। ସେମାନେ ଏବେ ବିକାଶର next levelରେ ପହଞ୍ଚିଛନ୍ତି।
ଚାଷୀ ଆମର ଗୌରବ। ଚାଷୀର ବିକାଶ ସବୁବେଳେ ଆମର ଗୁରୁତ୍ବ ହୋଇ ରହିଛି। ଚାଷୀ ଭାଇର ଫସଲ ବୀମା ପ୍ରିମିୟମ ଦାୟିତ୍ଵ ଏବେ ରାଜ୍ଯ ସରକାର ନେଇଛନ୍ତି।
ଯୁବ ସମାଜକୁ ରୋଜଗାରକ୍ଷମ କରିବା ପାଇଁ ଆମେ ପ୍ରତିବର୍ଷ ଏକ ଲକ୍ଷ ଯୁବ ବର୍ଗକୁ NUA ଯୋଜନାରେ ତାଲିମ ଦେବୁ। ଜଗନ୍ନାଥ ସଂସ୍କୃତିର ସୁରକ୍ଷା ସହ ପ୍ରତି ଗାଁରେ modern digital infrastructure ଭିତ୍ତିର ବିକାଶ ଆମର ଲକ୍ଷ୍ୟ। ଏଥିପାଇଁ ଆମେ ଚାରି ହଜାର କୋଟି ଟଙ୍କାର ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଆରମ୍ଭ କରିଛୁ।
ଗରିବ ଲୋକ, ଚାଷୀ, ମହିଳା,ଜନଜାତି, କଳାକାର, ଯୁବ ସମାଜ ସମାଜର ସବୁ ବର୍ଗର ଲୋକଙ୍କୁ ସାଥିରେ ନେଇ ଓଡିଶା ଆଜି ଆଗକୁ ବଢୁଛି। ସମସ୍ତଙ୍କ ବିକାଶ ହିଁ ପ୍ରକୃତ ବିକାଶ।
ଆସନ୍ତୁ, ଏକ ସମୃଦ୍ଧ ଓଡିଶା, ଏକ ରୂପାନ୍ତରିତ ଓଡିଶା ପାଇଁ ସମସ୍ତେ ମିଳିମିଶି କାମ କରିବା।”