ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ
ଢେଙ୍କାନାଳ ତା. ୧୫,୦୯.୨୦୨୩
ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଗୃହ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ସଡକ ଦୁର୍ଘଟଣାରେ ଜିଲ୍ଲାରେ ୧୩୦ ରୁ ଅଧିକ ବ୍ୟକ୍ତି ମୃତ୍ୟୁବରଣ କରିଥିବାରୁ ଜିଲ୍ଲାପାଳ ଉଦବେଗ ପ୍ରକାଶ କରିବା ସହିତ ଦୁଇ ଚକିଆ ଯାନଚାଳକମାନେ ଜ ତୀୟ ରାଜପଥରେ ଗଲାବେଳେ ନିଶ୍ଚିତ ଭାବେ ହେଲମେଟ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା ଓ କାର୍ଯ୍ୟ ତ୍ବରାନ୍ବିତ କରିବା ନିମନ୍ତେ ଏକ ପାଞ୍ଚ ଜଣିଆ ଟିମକୁ ଦାୟୀତ୍ବ ଦିଆଯାଇଛି । ଅଧିକ ଜନସଚେତନତା ସୃଷ୍ଟି ଉପରେ ଗୁରୁତ୍ବ ଦେବା ସହିତ ଜାତୀୟ ରାଜପଥରେ ମଦ୍ୟପ ଏବଂ ବେପରୁଆ ଗାଡି ଚାଳକ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣା ପ୍ରବଣ ସ୍ଥାନରେ ସମସ୍ତ ପ୍ରକାରର ପ୍ରତିକାର ବ୍ୟବସ୍ଥା କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ସଡକ ଦୁର୍ଘଟଣାରେ ଯେପରି କେହି ମୃତ୍ୟୁ ବରଣ ନ କରନ୍ତୁ, ସେଥ୍ପ୍ରତି ସମସ୍ତେ ଯବାନ ଓ ସତର୍କ ହେବାକୁ
କହିଛନ୍ତି ।
ଦୁର୍ଘଟଣା ନିମନ୍ତେ ଦାୟୀ ବ୍ୟକ୍ତି ଏବଂ କର୍ତ୍ତୃପକ୍ଷ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପତ୍ର ଗୁରୁତ୍ବାରୋପ କରିଛନ୍ତି । ଦୁର୍ଘଟଣା ଘଟିଲେ ସ୍ଥାନୀୟ ଲୋକେ ଗୁଡସାମରିଟାନ ଭାବେ ତୁରନ୍ତ ନିକଟସ୍ଥ ଥାନା ଅଧିକାରୀଙ୍କୁ ଜଣାଇବାକୁ ସେ ପରାମର୍ଶ ଦେଇଛନ୍ତି । ପୂଜା ପାର୍ବଣରେ ତୋରଣ ନିର୍ମାଣ ଦ୍ଵାରା ସହରର ମୁଖ୍ୟ ରାସ୍ତାଗୁଡିକ ଯେପରି ସଙ୍କୋଜିତ ନ ହେବ ସେଥ୍ପତି ବିଶେଷ ଦୃଷ୍ଟି ଦେବାକୁ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଛନ୍ତି ।
ବୈଠକରେ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଓ ଆବଶ୍ୟକ ମରାମତି, ଦୁର୍ଘଟଣା ରୋକିବା ନିମନ୍ତେ ପ୍ରତିକାର ବ୍ୟବସ୍ଥା, ରାସ୍ତାରୁ ଷଣ୍ଡ-ଗାଈଗୋରୁ ହଟାଇବା, ବେପରୁଆ ଗାଡିଚାଳକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆଲୋଚନା ହୋଇଥିଲା । ବିଭିନ୍ନ ବିଶୃଙ୍ଖଳା ନିମନ୍ତେ ଗତ ବର୍ଷ ୨୩୪୪ ଜଣଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ ବାତିଲ ହୋଇଥବା ବେଳେ ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ୨୩୮୬ ଜଣଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ ବାତିଲ କରାଯ ଇଛି । ଗତବର୍ଷ ଜିଲ୍ଲାରେ ସମୁଦାଯ ୪୭୧ ଟି ସଡକ ଦୁର୍ଘଟଣା ଘଟିଥିବା ବେଳେ ୨୦୫ ଜଣ ମୃତ୍ୟୁ ବରଣ କରିଥିଲେ ଏବଂ ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ୨୭୯ ଟି ଦୁର୍ଘଟଣା ଘଟିଥିବା ବେଳେ ୧୨୫ ଜଣ ମୃତ୍ୟୁ ବରଣ କରିଛନ୍ତି ବୋଲି ଆଞ୍ଚଳିକ ପରିବହନ ଅଧ୍ବକାରୀ ଶ୍ରୀ ପ୍ରଣୟ କୁମାର ମିଶ୍ର ପ୍ରକାଶ କରିଛନ୍ତି ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଳିତ ମୋହନ ବେହେରା ( ରାଜସ୍ବ ), ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଶୋକ କୁମାର ଦାଶ, କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ, ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ବାଇଁଙ୍କ ସମେତ ସଡକ ସୁରକ୍ଷା କମିଟିର ସମସ୍ତ ସଦସ୍ୟ ଗଣ ଯୋଗ ଦେଇଥିଲେ । ଶେଷରେ ପୂର୍ତ୍ତ ବିଭାଗର ଅଧ୍ୟକ୍ଷଣ ଯନ୍ତ୍ରୀ ଶ୍ରୀ ଜୟନ୍ତ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।