ତୁଳସୀପାଳରେ ଅଧିଷ୍ଠାତ୍ରୀ ଦେବୀ ମା’ ମହାପାଟଙ୍କ ବାର୍ଷିକୋତ୍ସବ ପାଳିତ
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁଳସୀପାଳ ଗ୍ରାମ ଫଟାକାଞ୍ଜିଆ ଠାରେ ଗଡ଼ସନ୍ତ୍ରୀ ଓ ତୁଳସୀପାଳ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ତଥା ଆଖପାଖ ଅଞ୍ଚଳର ପ୍ରତ୍ୟକ୍ଷ ଦେବୀ ମା’ ମହାପାଟଙ୍କ ବାର୍ଷିକ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି l ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ ଶୁକ୍ଲପକ୍ଷ ଦ୍ଵିତୀୟା ଦିନ ମା’ଙ୍କ ବଡ଼ପୂଜା କୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି ଉଭୟ ଗ୍ରାମବାସୀ l ଆଜି ପ୍ରତ୍ୟୁଷରୁ ମା’ଙ୍କ ଦେହୁରୀ ରଞ୍ଜନ କୁମାର ଗଡ଼ନାୟକ ଓ ବେଲପତରିଆ ପବିତ୍ର ବିଶ୍ୱାଳ ତୁଳସୀପାଳ ଗ୍ରାମରେ ଥିବା ମା’ଙ୍କ ଆଲମ ଘରେ ପୂଜାପାଠ କରି ପୀଠସ୍ଥଳୀକୁ ଯିବାପାଇଁ ନିମନ୍ତ୍ରଣ କରିଥିଲେ l ପୂର୍ବାହ୍ନ ୧o ଟାରେ ଉଭୟ ତୁଳସୀପାଳ ଓ ଗଡ଼ସନ୍ତ୍ରୀ ଗ୍ରାମବାସୀ ମାନେ ମା’ ଙ୍କୁ ଛତି, ତରାଶ, ଢୋଲ, ନିଶାଣ, ଆତସବାଜୀ ଓ ଡିଜେ ସାଉଣ୍ଡ ସହ ଏକ ଶୋଭାଯାତ୍ରାରେ ମୁଖ୍ୟରାସ୍ତା ପରିକ୍ରମା କରି ଫଟାକାଞ୍ଜିଆ ଠାରେ ଥିବା ପୀଠସ୍ଥଳୀଙ୍କୁ ନେଇଥିଲେ l ପଥ ମଧ୍ୟରେ ମା ମାଉସୀ ମାନେ ନୂତନ ବସ୍ତ୍ର ପକାଇ ନିଜ ନିଜର ଘର ମୁହଁରେ ବନ୍ଦାପନା କରିଥିଲେ l ଶୋଭାଯାତ୍ରା ପୀଠସ୍ଥଳୀରେ ପହଞ୍ଚିବା ପରେ ଦେହୁରୀ ଓ ସହଯୋଗୀ ବେଲପତରିଆ ପୂଜାର୍ଚ୍ଚନା କରିବା ପରେ ମାଜଣା ଓ ଷୋଡଶ ଉପଚାରରେ ବଡପୂଜା ସମ୍ପାଦନ କରିଥିଲେ l ବହୁ ସଂଖ୍ୟକ ମାନସିକଧାରୀ ମହିଳା ଓ ଶିଶୁ ଅଧିଆ ପଡିବା ସହ ମୁଣ୍ଡନ ହୋଇଥିଲେ l ଏହି ଅବସରରେ ଯାତ୍ରା ପଡିଆରେ ଚାର୍ଟ, ଗୁପଚୁପ, ଜଳଖିଆ, ମନୋହରୀ ଓ ଆଇସକ୍ରିମ ଆଦି ଅସ୍ଥାୟୀ ଦୋକାନ ମାନ ଖୋଲିଥିଲା l ଆଖପାଖ ଗ୍ରାମ ଲଙ୍ଗୁଳିଆବେଡା, ଗାଢ଼ରଖାଇ, କଙ୍କିନାଳୀ, ବନ୍ଦା ଓ ଝଜିରୀବାହାଳ ଗ୍ରାମରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା l ବନ୍ଦା ସମିତିସଭ୍ୟ ଦୁଷ୍ମନ୍ତ କୁମାର ଗଡ଼ନାୟକ ଓ ସହଯୋଗୀ ମଳୟ କୁମାର ଗଡ଼ନାୟକ ସମସ୍ତ ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ କରିଥିଲେ l ଯାତ୍ରା କମିଟି ସଭାପତି ଲୋକନାଥ ମାଝୀ, ସମ୍ପାଦକ ଭଜମନ ମହାନ୍ତି, ଦାଶରଥି ପାଏକ, ସୁନୀଳ ମାଝୀ, ବାଉରୀବନ୍ଧୁ ସାହୁ, ଧୀରେନ୍ଦ୍ର ଗଡ଼ନାୟକ, ଅଜୟ ସାହୁ, ଦୈତାରୀ ସାହୁ, ନୀଳମଣି ବିଶ୍ୱାଳ ଓ ଗୋକୁଳା ନାୟକଙ୍କ ସମେତ ଉଭୟ ଗ୍ରାମର ଗ୍ରାମବାସୀ ଉତ୍ସବରେ ସହଯୋଗ କରିଥିଲେ l ଉପବାଚସ୍ପତି ତଥା ବିଧାୟକ ରଜନୀକାନ୍ତ ସିଂହ, ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଜିଲ୍ଲା ଯୁବ ବିଜେଡି ସଭାପତି ତଥା ‘ବସୁଧା’ ଉପଦେଷ୍ଠା ଦିନେଶ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ମା’ଙ୍କ ଦର୍ଶନ କରିଥିଲେ l
Banarpal ରୁ ସୁଶାନ୍ତ କୁମାର ସାମଲ ଙ୍କ ରିପୋର୍ଟ ଜାଗ୍ରତ୍ ଭାରତ୍ ନ୍ୟୁଜ