କ୍ରସର ବନ୍ଦ ପାଇଁ ଗ୍ରାମବାସୀଙ୍କ ଦାବି
ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ୍ ଅନ୍ତର୍ଗତ ନିହଲପ୍ରସାଦ ଅଞ୍ଚଳରେ ବେଆଇନ୍ ଭାବେ ଗଢ଼ିଉଠିଥିବା ଜଗବନ୍ଧୁ ମେଗା କ୍ରସରକୁ ବନ୍ଦ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଏ ନେଇ ନୂଆକଷ୍ଟିପାଳ ଓ ବେଗା ପଞ୍ଚାୟତର ଶ୍ରୀମନ୍ତପୁର ଗ୍ରାମରେ ଶତାଧିକ ଗ୍ରାମବାସୀ ସୋମବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗ୍ରାମରେ ୪୦୦ ଶହରୁ ଅଧିକ ପରିବାର ବସବାସ କରୁଥିବାବେଳେ ନିକଟରେ ଏକ କ୍ରସର ଗଢିଉଠିଛି । କ୍ରସରରେ ବ୍ୟବହୃତ ପଥର ପାଇଁ ଖଣିରୁ ଅହରହ ବିସ୍ଫୋରଣ ହେଉଛି । ଏହାଦ୍ୱାରା ଗାଁ ଥରି ଉଠିବା ସହ ଲୋକମାନେ ହଇରାଣ ହେଉଛନ୍ତି । ଖାଦ୍ୟପାନୀୟରେ କ୍ରସରର ଧୂଳିଧୂଆଁ ମିଶୁଛି । ଲୋକଙ୍କୁ ରୋଗ ହେଉଛି । ପୁରୁଷାନୁକ୍ରମେ ଗ୍ରାମରେ ବସତି ସ୍ଥାପନ ହୋଇଥିବାବେଳେ ଗ୍ରାମବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପ୍ରଶସାନ ଉଦ୍ୟମ ଚଳାଇଛି । ଏହାକୁ ଗ୍ରାମବାସୀ ବିରୋଧ କରି ମରିଯିବୁ ପଛେ ପ୍ରଶାସନର କୌଣସି ନିଷ୍ପତିକୁ ମାନିବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି । କିଛି ଅସାଧୁ ଅଧିକାରୀ ଓ ରାଜନେତାକୁ ହାତବାରିସି କରି କ୍ରସର ମାଲିକ ଗ୍ରାମବାସୀଙ୍କୁ ବିଭିନ୍ନ ସମୟରେ ହଇରାଣ ହରକତ କରୁଛନ୍ତି । କ୍ରସରକୁ ଉଚ୍ଛେଦ କରି ଗ୍ରାମବାସୀଙ୍କ ଜୀବନଜୀବିକାକୁ ପ୍ରଧାନ୍ୟ ଦିଆଯାଉ । ନଚେତ୍ ଆନେ୍ଦାଳନକୁ ଜୋରଦାର କରାଯିବ ବୋଲି ଗ୍ରାମର ଭଜନାନନ୍ଦ ଦେହୁରୀ, ପ୍ରହଲ୍ଲାଦ ବେହେରା, କଇଁଚା ଦେହୁରୀ, ଡାଳିମ୍ବ ଦେହୁରୀ, ଭ୍ରମର ସାମଲ, ମୋହନ ଦେହୁରୀ ପ୍ରମୁଖ ସୋମବାର ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ପ୍ରକାଶ କରିଛନ୍ତି । ଏଥିସହ ଲୋକଙ୍କ ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ଉକ୍ତ କ୍ରସରକୁ ବନ୍ଦ ରଖିବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି ।