ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗ୍ରାମ ପଞ୍ଚାୟତ ଦେଇ ନିର୍ମାଣ କାର୍ଯ୍ୟ ଚାଲିଥିବା ବାଇପାସ୍ ରାସ୍ତା ରେ ଆଜି ଏକ୍ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ପୋଲିସ ର ସୂଚନା ମୁତାବକ ମୃତବ୍ୟକ୍ତି ଜଣଙ୍କ ହେଲେ ନୂଆହତା ଗ୍ରାମ ଶିମିଳିସାହି ର ବ୍ରଜକିଶୋର ଭୁତିଆଙ୍କ ମଝିଆ ପୁଅ ସୁବ୍ରତ ଭୁତିଆ। ପରିବାରବର୍ଗଙ୍କ ସୂଚନା ଅନୁଯାୟୀ ସୁବ୍ରତ ୧୨ ମାର୍ଚ୍ଚ ୨୦୨୪ ରାତି ୯ ଘଟିକା ସମୟରେ ଘରୁ କେଉଁଆଡ଼େ ପଳାଇଯାଇଥିଲେ। ସେ ମାନସିକ ବିକାର ଗ୍ରସ୍ତ ଲୋକ ଥିଲେ। ପରିବାର ଲୋକେ ଅଞ୍ଚଳରେ ଖୋଜାଖୋଜି କରିବା ପରେ ନମିଳିବାରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବଅଁରପାଳ ଥାନା ପକ୍ଷରୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଆଜି ନୂତନ ବାଇପାସର ବ୍ରିଜ ପାଚେରୀ ନିର୍ମାଣ ଚାଲିଥିବା ପାର୍ଶ୍ଵରେ ଏକ ମୃତଦେହ ପଡିରହିଥିବା ଅଞ୍ଚଳବାସୀ ଦେଖିବାକୁ ପାଇ ନିର୍ମାଣ ଠିକା ସଂସ୍ଥା କୁ ଜଣାଇଥିଲେ। ଠିକା ସଂସ୍ଥା ପୋଲିସ କୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାରବର୍ଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ। ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତକରି ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଇଛନ୍ତି । ପୋଲିସ ପକ୍ଷରୁ କୁହାଯାଉଛି କି ମୃତଦେହ ବ୍ୟବଚ୍ଛେଦ ପରେ ମୃତ କାରଣ ସ୍ପଷ୍ଟ ହୋଇପାରିବ।
