ବଅଁରପାଳ,୨୯.୩- ଏହି ବ୍ଲକ ଅନ୍ତର୍ଗତ ତୁଳସୀପାଳ ଗ୍ରାମ ଗୋଡ଼ିସାହି ଦଣ୍ଡାଆମ୍ବୁରି ସ୍ଥିତ ଦୋଳମଣ୍ଡପରେ ଚଉଦଳ ଯାତ୍ରା ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ ହୋଇଯାଇଛି l ଯାତ୍ରାର ପୂର୍ବଦିନ ଚଉଦଳ ଯାତ୍ରା କମିଟି ପକ୍ଷରୁ ଗ୍ରାମର ଅକ୍ଷୟ କୁମାର ବିଶୋଇଙ୍କ ବାସଭବନରେ ଅଧିଷ୍ଠିତ ରାଧାକୃଷ୍ଣଙ୍କୁ ଯାତ୍ରାପଡିଆକୁ ଯିବାକୁ ନିମନ୍ତ୍ରଣ କରା ଯାଇଥିଲା l ପୂର୍ବସୂଚୀ ଅନୁଯାୟୀ ଅପରାହ୍ନ ୬ ଟାରେ ଯାତ୍ରାକମିଟିର କର୍ମକର୍ତ୍ତା, ସଦସ୍ୟ ଓ ଗ୍ରାମବାସୀ ମାନେ ଶ୍ରୀ ବିଶୋଇଙ୍କ ବାସଭବନରୁ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତିକୁ ପୂଜାର୍ଚ୍ଚନା କରି ଏକ ସୁସଜ୍ଜିତ ବିମାନ ଦ୍ଵାରା ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ମୁଖ୍ୟରାସ୍ତା ପରିକ୍ରମା କରି ଯାତ୍ରା ପଡିଆସ୍ଥିତ ଦୋଳମଣ୍ଡପରେ ପହଞ୍ଚିଥିଲେ l ଶୋଭାଯାତ୍ରାରେ ଡିଜେ ସାଉଣ୍ଡ , ଢୋଲ, ନିଶାଣ, ଆତସବାଜୀ ସହ ବିଭିନ୍ନ ଗ୍ରାମରୁ ଆସିଥିବା ଗୋପାଳଭାଇ ମାନଙ୍କ ପୌରାଣିକ ବିଷୟବସ୍ତୁ ଉପରେ ଆଧାରିତ ରାଧାକୃଷ୍ଣ ,କଂସ , ଦୁଗ୍ଧ ବିକାଳୀ ଓ ଗୋପନାରୀ ମାନଙ୍କ ଆକର୍ଷଣୀୟ ବେଶଭୁଷା ଓ ଚିତାକର୍ଷକ ଲଉଡ଼ିଖେଳ ସ୍ଥାନ ପାଇଥିଲା l ବାଟରେ ମା ମାଉସୀ ମାନେ ନିଜନିଜ ଘର ସମ୍ମୁଖରେ ଝୋଟି କାଟି ବନ୍ଦାପନା କରିଥିଲେ l ଶୋଭାଯାତ୍ରା ଯାତ୍ରାପଡିଆରେ ପହଞ୍ଚିବା ପରେ ପୂଜକ ସୌମ୍ୟରଞ୍ଜନ କର ରୀତିନୀତି ଅନୁଯାୟୀ ରାଧାକୃଷ୍ଣଙ୍କ ପୂଜାର୍ଚ୍ଚନା କରିଥିଲେ l ଏହି ଅବସରରେ ଯାତ୍ରାପଡିଆରେ ଜଳଖିଆ, ମନୋହରୀ, ଗୃହପୋକରଣ ସାମଗ୍ରୀ, ଫାଷ୍ଟଫୁଡ ଚାର୍ଟ, ଗୁପଚୁପ ଓ ଆଇସକ୍ରିମ ର ଅସ୍ଥାୟୀ ଦୋକାନ ମନ ଖୋଲିଥିଲା l ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ତୁଳସୀପାଳ ଓ ଭଗବାନପୁର ଦଣ୍ଡଦଳ ମଧ୍ୟରେ ବାଦଦଣ୍ଡ ଅନୁଷ୍ଠିତ ହୋଇଥିଲା l ଯାତ୍ରା କମିଟିର ସଭାପତି ଛକଡି ସାହୁ, ସମ୍ପାଦକ ରତିକାନ୍ତ ସାହୁ, ବାଉରୀବନ୍ଧୁ ସାହୁ, ଅଜୟ ସାହୁ, ଧୀରେନ୍ଦ୍ର ଗଡ଼ନାୟକ, ଭଜମନ ବେହେରା, ହଳଧର ସାହୁ ଓ ରାଜା ସାହୁଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ l