ଭୂବନେଶ୍ୱର, ୨୧/୧୧: ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା । ୨୬ ତାରିଖ ବେଳକୁ ଏଠାରେ ବାତ୍ୟା ସୃଷ୍ଟି ହୋଇପାରେ । ଓଡ଼ିଶାକୁ କୌଣସି ପ୍ରଭାବ ନାହିଁ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି । ସୁମାତ୍ରା ପାଖ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।
ଏହା ଆହୁରି ଘନୀଭୂତ ହେବ । ୨୨ ତାରିଖରେ ଲଘୁଚାପ ରୂପ ନେଇପାରେ । ୪୮ ଘଣ୍ଟା ବା ୨୬ ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ ହୋଇପାରେ । ୨୯ ତାରିଖ ବେଳକୁ ଏହା ତାମିଲନାଡୁ ଉପକୂଳ ଛୁଇଁପାରେ ବୋଲି ସେ କହିଛନ୍ତି ।ତେବେ ଓଡ଼ିଶା ଉପରେ ଲଘୁଚାପର ପ୍ରଭାବ ପଡ଼ିବନି । ୨୭ରୁ ୩୦ ତାରିଖ ଭିତରେ ବାୟୁର ଦିଗ ବଦଳିବ । ରାଜ୍ୟକୁ ଉତ୍ତର ପୂର୍ବ ଦିଗରୁ ପବନ ବହିପାରେ । ଦକ୍ଷିଣ ଉପକୂଳରେ ଓ ୨୮ରୁ ୩୦ ତାରିଖ ଯାଏ ଆଭ୍ୟନ୍ତରରେ ପାଗ ମେଘୁଆ ରହିପାରେ ।କୁହୁଡ଼ି ବି ଦୃଶ୍ୟମାନ ହେବ । ଉପକୂଳ ଓଡ଼ିଶାରେ ୨୨ରୁ ୨୪ ତାରିଖ ଯାଏ ସାମାନ୍ୟ କୁହୁଡ଼ି ଏବଂ ୨୭ରୁ ୨୯ ତାରିଖ ଯାଏ ହାଲୁକା ବର୍ଷା ସମ୍ଭାବନା ଅଛି । ଅନ୍ୟ ମଡେଲ ଅନୁସାରେ ବି ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ପଡ଼ିବନି ବୋଲି ସେ କହିଛନ୍ତି । ୨୨ ଓ ୨୩ ତାରିଖରେ ଭୁବନେଶ୍ୱର ଓ ସଂଲଗ୍ନ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୦.୫ ଡିଗ୍ରୀ ବଢ଼ିପାରେ ।
ଦକ୍ଷିଣ ଆଭ୍ୟନ୍ତରର କନ୍ଧମାଳ ଓ ଗଜପତି ଜିଲ୍ଲାରେ ରାତି ତାପମାତ୍ରା ୧ଡିଗ୍ରୀ କମିପାରେ ବୋଲି ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି । ଜି ଉଦୟଗିରିରେ ବୁଧବାର ପାରଦ ସବୁଠୁ ଅଧିକ ଖସିଛି । ଏଠାରେ ରାତି ତାପମାତ୍ରା ସର୍ବନିମ୍ନ ୬.୨ଡିଗ୍ରୀ ରେକର୍ଡ ହୋଇଛି ।ଫୁଲବାଣୀରେ ରାତି ତାପମାତ୍ରା ୯ଡିଗ୍ରୀ ରେକର୍ଡ ହୋଇଛି । ୧୮ ସହରର ରାତି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି ।