ଭୂବନେଶ୍ୱର, ୨୪/୧୧ : ସରିଲା କଟକର ଐତିହାସିକ ବାଲିଯାତ୍ରା। ୯ ଦିନ ଧରି ଚାଲିଥିଲା ଏହି ବାଲିଯାତ୍ରାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏହା ସହ କଟକ ସାଂସଦ , ଜଗତସିଂପୁର ସାଂସଦ, ବାରବାଟୀ କଟକ ବିଧାୟକ, କଟକ ଡିସିପି, ଜିଲ୍ଲାପାଳ ,ଅନ୍ୟ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ମାନେ ଯୋଗ ଦେଇଥିଲେ ।
ସୁରୁଖୁରୁରେ ଆୟୋଜନକୁ ନେଇ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଛନ୍ତି ଅତିଥି ମାନେ। ମୋଟ ୨୫୦ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ବ୍ୟବସାୟ ହୋଇଛି । କେବଳ ଓରମାସରେ ୪୦ କୋଟି ଟଙ୍କାର ବ୍ୟବସାୟ ହୋଇଛି। ଚଳିତବର୍ଷ ମଧ୍ୟ ଗତବର୍ଷ ତୁଳନାରେ ଅଧିକ ଜନ ସମାଗମ ହୋଇଥିବା ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ। ସୂଚନାଯୋଗ୍ୟ, ଲୋକଙ୍କ ଆଗ୍ରହ ଓ ଉତ୍ସାହକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଐତିହାସିକ ବାଲିଯାତ୍ରା ଅବଧିକୁ ଆଉ ଏକ ଦିନ ବୃଦ୍ଧି କରିଥିଲେ। ଚଳିତ ନଭେମ୍ବର ୧୫ କାର୍ତ୍ତିକ ପୂର୍ଣ୍ଣିମାଠାରୁ ଆୟୋଜିତ ଏହି ମହୋତ୍ସବ ନବମ ଦିବସରେ ଉଦ୍ଯାପନ ହୋଇଛି। ଉଦଘାଟନୀ ସମାରୋହେ ମୁଖ୍ୟମନ୍ତ୍ରୀଙ୍କ ସହ ୧୩ଟି ଦେଶର ରାଷ୍ଟ୍ରଦୂତ ଓ ବୈଦେଶିକ ବ୍ୟାପାର ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।