ଭୂବନେଶ୍ବର,୨୭/୧୧ : ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୃଷି ଶିକ୍ଷା ସଦନରେ ଆୟୋଜିତ ସମାରୋହରେ ରାଜ୍ୟ ସରକାର ଆଜି ୯୪୧ ଜଣଙ୍କୁ ଅଗ୍ନିଯୋଦ୍ଧାଙ୍କୁ ନିଯୁକ୍ତି ଦେଇଛନ୍ତି। ଏହି ଅବସରରେ ନବନିଯୁକ୍ତ ପ୍ରାର୍ଥୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂତନ ଅଗ୍ନିଯୋଦ୍ଧାଙ୍କ ଯୋଗଦାନ ଦ୍ଵାରା ଆମ ସରକାର ଏବଂ ଏହି ବିଭାଗର ଶକ୍ତି ବୃଦ୍ଧି ପାଇବ।
ଏହାଦ୍ବାରା ଆଗାମୀ ଦିନରେ ଆବଶ୍ୟକ ସମୟରେ ଜରୁରୀକାଳୀନ ସେବା ଯୋଗାଇଦେବା ପାଇଁ ଅଧିକ ଦକ୍ଷତାର ସହିତ ବିଭାଗ କାର୍ଯ୍ୟ କରିବ। ଏଥିସହିତ ଲୋକଙ୍କ ଧନ ଜୀବନ ସୁରକ୍ଷା ସୁନିଶ୍ଚିତ ହେବ।ରାଜ୍ୟରେ ଆମ ସରକାର ଗଠନ ହେଲା ପରେ ବିଭିନ୍ନ ବିଭାଗରେ ଯେଉଁ ସବୁ ଗୁରୁତ୍ବପୂର୍ଣ୍ଣ ଖାଲି ପଦବି ରହିଛି, ତାକୁ ପୂରଣ କରାଯିବ। ସେଥିପାଇଁ ଯାହା ସବୁ ଆବଶ୍ୟକ ପଦକ୍ଷେପ ଦରକାର, ତାହା ନିଆଯିବ। ଖାଲି ଥିବା ପଦବି ପୂରଣ କରିବା ପାଇଁ ନିୟମିତ ଭାବେ ସମୀକ୍ଷା କରାଯାଉଛି। ଯାହା ସବୁ ପଦବି ଖାଲି ରହିଛି ଏବଂ ଆବଶ୍ୟକ ଥିବା ପଦବି ଦରକାର ଅଛି ସେଥିପାଇଁ ବ୍ୟବସ୍ଥା କରାଯାଉଛି। ୧୦,୦୦୦ ପଦବି ଶୀଘ୍ର ପୂରା କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଭୁବନେଶ୍ବରରେ ଆୟୋଜିତ ଏକ ନିଯୁକ୍ତି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ସନ୍ଧ୍ୟାରେ ଏହା କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଗୃହରକ୍ଷୀମାନଙ୍କ କ୍ଷେତ୍ରରେ ଥିବା କଟକଣାକୁ ନିକଟରେ ରାଜ୍ୟ ସରକାର ଉଠାଇ ଦେଇଛନ୍ତି। ୨୦୨୦ରୁ ଏହା ବନ୍ଦ ଥିଲା। ୪ ବର୍ଷ ହେଲା ଯେଉଁମାନେ ଗୃହରକ୍ଷୀ ହେବାକୁ ଆଶା ରଖିଥିଲେ ସେମାନେ କଟକଣା ପାଇଁ ଇଚ୍ଛା ଥିଲେ ମଧ୍ୟ ଆଗକୁ ବଢ଼ିପାରୁ ନଥିଲେ। କିନ୍ତୁ ସେବା କ୍ଷେତ୍ରରେ ଗୃହରକ୍ଷୀମାନଙ୍କର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଗୃହରକ୍ଷୀମାନେ ମଧ୍ୟ ଆାଶ ରଖିଥାନ୍ତି ଯେ, ମୁଁ ଏହି କାମରେ ରହିବ। ୨୪୧୬ ଗୃହରକ୍ଷୀ ପଦବୀ ଖୁବ ଶୀଘ୍ର ପୂରଣ କରାଯିବ। ଏଥି ପାଇଁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଯୁବକମାନଙ୍କ ପାଇଁ ସରକାରୀ କଳରେ ଯଥେଷ୍ଟ ନିଯୁକ୍ତି ସୃଷ୍ଟି କରିବାକୁ ପଦକ୍ଷେପ ନିଆଯାଇଛି। ସାଢ଼େ ୪ କୋଟି ଲୋକ ଯାହା ଦାୟିତ୍ବ ଦେଇଛନ୍ତି, ତାକୁ ପାଳନ କରାଯିବ। ସରକାରୀ ପଦବି ଯାହା ଖାଲି ରହିଛି, ତାକୁ ପୂରଣ କରାଯିବ।