ଭୂବନେଶ୍ୱର, ୨୯/୧୧ : ଡିଜିପି-ଆଇଜିପି ସମ୍ମିଳନୀରେ ଯୋଗ ଦେବା ପାଇଁ ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଓହ୍ଲାଇବା ପରେ ପିଏମ୍ ମୋଦୀଙ୍କୁ ସ୍ୱାଗତ ଜଣାଯାଇଛି । ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିମାନ ବନ୍ଦରରେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ, ବିଜେପି ରାଜ୍ୟସଭା ମନମୋହନ ସାମଲ, ସଂସାଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନ ବନ୍ଦର କ୍ୟାମ୍ପସ୍ ପାଖରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ସଭାକୁ ସମ୍ୱୋଧନ କରିବେ । ସେଠାରୁ ପ୍ରଧାନମନ୍ତ୍ରୀ ରାଜଭବନ ଯିବେ । କିଛି ସମୟ ପରେ ସନ୍ଧ୍ୟା ସାଢ଼େ ୬ଟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯିବେ । ଦଳୀୟ କାର୍ଯ୍ୟାଳୟରେ ୨ ଘଣ୍ଟା ରହି ସାଂସଦ ଓ ବିଧାୟକଙ୍କ ଆଲୋଚନା କରିବା ସହ ରିପୋର୍ଟ କାର୍ଡ ନେଇପାରନ୍ତି । ଏହା ପୂର୍ବରୁ ପ୍ରଥମ ଥର ପାଇଁ ଓଡିଶାରେ ଆୟୋଜିତ ହେଉଥିବା ୩ ଦିନିଆ ଡିଜି-ଆଇଜି ସମ୍ମିଳନୀକୁ ଶୁକ୍ରବାର ଅପରାହ୍ଣରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉଦ୍ଘଟାନ କରିଥିଲେ । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ମଧ୍ୟ ସାମିଲ ହୋଇଛନ୍ତି । ତିନି ଦିନ ଧରି ଲୋକସେବା ଭବନରେ ଏହି ସମ୍ମିଳନୀ ଚାଲିବ । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସହ ସୀମା ସୁରକ୍ଷା, ସାଇବର ଅପରାଧ, ଗଞ୍ଜେଇ ଓ ବ୍ରାଉନସୁଗର କାରବାର, ଏଆଇ ଟେକ୍ନୋଲୋଜି, ଜେଲ୍ ସଂସ୍କାର ଭଳି ପ୍ରମୁଖ ପ୍ରସଙ୍ଗରେ ତିନି ଦିନ ଧରି ଆଲୋଚନା ହେବ ।