ଭୂବନେଶ୍ବର, ୦୧/୧୨ : ଆଜି ସର୍ବଭାରତୀୟ ଡିଜି-ଆଇଜି ସମ୍ମିଳନୀର ତୃତୀୟ ତଥା ଶେଷ ଦିନ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମିଳନୀରେ ଉଦଯାପନୀ ଭାଷଣ ରଖିବେ। ସାଇବର ଅପରାଧ, ତଟ ସୁରକ୍ଷା ଓ ମାଓ ମୁକାବିଲା ନେଇ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହେବ। ଦୁଇ ଦିନ ହେବ ତଟ ସୁରକ୍ଷାରୁ ସାଇବର ଅପରାଧ, ମାଓବାଦରୁ ଆତଙ୍କବାଦ, ଗଞ୍ଜେଇ ଚାଲାଣରୁ ବ୍ରାଉନସୁଗର ଓ କୋକେନ କାରବାର ଏବଂ ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ଲୋକସେବା ଭବନରେ ମାନସମନ୍ଥନ ଚାଲିଛି।
ବିମାନବନ୍ଦରରୁ ରାଜଭବନ, ସମ୍ମିଳନୀ କକ୍ଷରୁ ଦଳୀୟ କାର୍ଯ୍ୟାଳୟ ସବୁଠି କଟକଣା। କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ମଧ୍ୟ ଜଗି ରହିଛନ୍ତି। ୨୪ ଘଣ୍ଟିଆ ସୁରକ୍ଷା ଜାରି ରହିଛି। ଏହାରି ଭିତରେ ଭୁବନେଶ୍ବର ଉପରେ ଆତଙ୍କବାଦୀଙ୍କ ନଜର ପଡ଼ିଛି। ଗଳାବାଟରେ ଖଲିସ୍ଥାନୀ ଆତଙ୍କବାଦୀ ଧମକ ଦେଇଛନ୍ତି। ଏହା ସହରବାସୀଙ୍କୁ ଛାନିଆ କରିଛି। ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ନାଁରେ ଓଡ଼ିଆ ସାମ୍ବାଦିକଙ୍କ ପାଖକୁ ଉଭୟ ଇଂରାଜୀ ଏବଂ ଓଡ଼ିଆରେ ଧମକପୂର୍ଣ୍ଣ ଇ-ମେଲ୍ ହଇଚଇ ସୃଷ୍ଟି କରିଛି। ଏଭଳି ଧମକକୁ ସୁରକ୍ଷାବାହିନୀ ସହଜେ ଅସ୍ବୀକାର କରିପାରୁନାହିଁ। ଓଡ଼ିଶାକୁ ପୂର୍ବରୁ ଆତଙ୍କବାଦୀଙ୍କ ଧମକ ମିଳିବା ନଜିର ରହିଛି।
ଭୁବନେଶ୍ବର ମନ୍ଦିରମାଳିନୀ ସହର ନୁହେଁ ଆତଙ୍କୀ ସହର ବୋଲି ଭିଡ଼ିଓରେ କହିଥିଲା। ଉକ୍ତ ସମ୍ମିଳନୀକୁ ଭଣ୍ଡୁର କରିବା ପାଇଁ ମନ୍ଦିର ହେଉ କିମ୍ବା ଶିକ୍ଷାନୁଷ୍ଠାନରେ ଛଦ୍ମବେଶରେ ଜଗି ରହିବା ଲାଗି ସହଯୋଗୀଙ୍କୁ ପରାମର୍ଶ ଦେଇଥିଲା। ଏହାକୁ ସୁରକ୍ଷାବାହିନୀ ଗୁରୁତର ସହ ଗ୍ରହଣ କରିଥିଲା। ସମ୍ମିଳନୀର ଦ୍ବିତୀୟ ଦିନରେ ଓଡ଼ିଆ ସାମ୍ବାଦିକଙ୍କ ପାଖକୁ ଧମକପୂର୍ଣ୍ଣ ଇ-ମେଲ୍କୁ ନେଇ ସାଇବର ପୁଲିସ ତଦନ୍ତ ଆରମ୍ଭ କରିଛି। ଅଡ଼ିଓ ମେସେଜରେ ଭୁବନେଶ୍ବର ବିମାନ ବନ୍ଦରକୁ ଟାର୍ଗେଟ କରି ବାର୍ତ୍ତା ଦେବା ସହ ଡିସେମ୍ବର ୧ରେ ଏଠାରୁ ଉଡ଼ାଣ ନ ଭରିବାକୁ ଚେତାବନୀ ଦିଆଯାଇଛି। ଧମକପୂର୍ଣ୍ଣ ମେଲ୍ ମିଳିବାର କିଛି ଘଣ୍ଟା ପରେ ବିମାନ ବନ୍ଦରରୁ ଏକ ସନ୍ଦିଗ୍ଧ ବ୍ୟାଗ୍କୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିଲା। ସୁରକ୍ଷାକର୍ମୀ ବ୍ୟାଗ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ତା’ ଭିତରେ କ’ଣ ରହିଛି ତା’ର ତଦନ୍ତ ଚାଲିଛି। ସେପରି କୌଣସି ବିସ୍ଫୋରକ ନଥିବା ଏକପ୍ରକାର ସ୍ପଷ୍ଟ ହୋଇଛି। ହେଲେ ପୁଲିସ ପକ୍ଷରୁ ସନ୍ଧାନୀ କୁକୁର ଓ ବମ୍ ସ୍କ୍ବାଡ୍ ଜରିଆରେ ଖାନ୍ତଲାସି କରାଯାଇଛି। ତେବେ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ସବୁ ରାଜ୍ୟର ଡିଜିପି, ଆଇଜିପିଙ୍କ ସହ ଗୃହ ସଚିବ, ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ, ଗୁଇନ୍ଦା ନିର୍ଦେଶକ ଏବଂ ଜାତୀୟ ସୁରକ୍ଷା ସହିତ ଜଡ଼ିତ ସମସ୍ତ ତୁଙ୍ଗ ଅଧିକାରୀ ଉପସ୍ଥିତ ଅଛନ୍ତି।