ଭୂବନେଶ୍ୱର: ଆସନ୍ତା ଡିସେମ୍ବର ୧୫ ତାରିଖରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଓଡ଼ିଶା ଓପନ୍ ଏବଂ ୧୫ତମ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଉତ୍ସବ ଆୟୋଜିତ ହେବାକୁ ଯାଉଛି । ୮ ଦିନ ଧରି ହେବାକୁଥିବା ଏହି ପ୍ରତିଯୋଗିତାରେ ୨୫ଟି ଦେଶର ପ୍ରାୟ ୭୦୦ ପ୍ରତିଯୋଗୀ ୩ ଟି ବିଭିନ୍ନ କ୍ୟାଟେଗୋରୀରେ ଭାଗ ନେବେ ।
ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ (ଏଓସିଏ) ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତା ସୋଆ, ରୋଟାରୀ ଇନ୍ଟରନ୍ୟାସ୍ନାଲ ଏବଂ ଏମ୍ପ୍ରିଓ ଗ୍ରୁପ୍ର ମିଳିତ ସହଯୋଗରେ ଅନୁଷ୍ଠିତ ହେବ ।
ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ପୁରସ୍କାର ରାଶି ୪୦ ଲକ୍ଷ ଟଙ୍କା ରଖାଯାଇଛି । ଏନେଇ ସୂଚନା ଦେଇଛନ୍ତି ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଟୁର୍ଣ୍ଣାମେଣ୍ଟର ଅର୍ଗାନାଇଜିଂ ଚେୟାରମ୍ୟାନ୍ ଡାକ୍ତର ଅବିନାଶ ସାମଲ୍ ।ଏଓସିଏର ସଚିବ ତଥା ଟୁର୍ଣ୍ଣାମେଣ୍ଟର ନିର୍ଦ୍ଦେଶକ ଥିବା ଶ୍ରୀ ଭଟ୍ଟ ଏହି ଅବସରରେ କହିଛନ୍ତି ଯେ, ‘ଏ’ କ୍ୟାଟେଗୋରୀରେ ୧୯୦୦ କିମ୍ବା ତଦୁର୍ଦ୍ଧ ଏଲୋ ରେଟିଂ ଥିବା ପ୍ରାୟ ୧୨୦ ଜଣ ଖେଳାଳୀ ଭାଗ ନେଉଥିବା ବେଳେ କ୍ୟାଟେଗୋରୀ ‘ବି’ରେ ୧୯୦୦ ରୁ କମ୍ ଏଲୋ ରେଟିଂ ଥିବା ଖେଳାଳୀ ଏବଂ କ୍ୟାଟେଗୋରୀ ‘ସି’ରେ ୧୬୦୦ ଏଲୋ ରେଟିଂରୁ କମ୍ ଥିବା ଖେଳାଳୀ ପ୍ରତିଯୋଗିତାରେ ସାମିଲ ହେବେ ।କ୍ୟାଟେଗୋରୀ ‘ଏ’ର ମୋଟ ପୁରସ୍କାର ରାଶି ୨୫ ଲକ୍ଷ ଟଙ୍କା ରହିଥିବା ବେଳେ ସର୍ବାଧିକ ପୁରସ୍କାର ସାଢ଼େ ୫ ଲକ୍ଷ ଟଙ୍କା ରଖାଯାଇଛି । ସେହିପରି କ୍ୟାଟେଗୋରୀ ‘ବି’ ଏବଂ କ୍ୟାଟେଗୋରୀ ‘ସି’ ନିମନ୍ତେ ସାଢ଼େ ସାତ ଲକ୍ଷ ଟଙ୍କା ଲେଖାଏଁ ରଖାଯାଇଥିବା ସେ କହିଛନ୍ତି ।
ସୋଆର ଦ୍ୱିତୀୟ କ୍ୟାମ୍ପସ୍ରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ବର୍ତ୍ତମାନ ସୁଦ୍ଧା ବୋସ୍ନିଆ, କଲମ୍ବିଆ, ଫ୍ରାନ୍ସ, କାଜାକ୍ସ୍ତାନ, ପାରାଗୁଏ, ୟୁଏସ୍ଏ, ଭିଏତନାମ୍, ବେଲାରୁସ, ଇଜିପ୍ଟ, ଫିଲିପାଇନ୍ସ, ଋଷିଆ, ସ୍ଲୋଭାକିଆ ଓ ଭାରତର ଚେସ୍ ଖେଳାଳୀମାନେ ଭାଗ ନେବେ । ଏମାନଙ୍କ ମଧ୍ୟରୁ ୭୦ ଜଣ ପ୍ରତିଯୋଗୀ ଟାଇଟଲ୍ ହୋଲ୍ଡର ବୋଲି ଶ୍ରୀ ଭଟ୍ଟ କହିଛନ୍ତି