ଭୂବନେଶ୍ଵର, ୨୫/୧୨ : ଆସନ୍ତାକାଲି ୨୮ତମ ପ୍ରତିଷ୍ଠା ଦିବସ ପାଳନ କରିବ ବିଜେଡି । ନିଜେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ପ୍ରୟାସର ମଙ୍ଗ ଧରିଛନ୍ତି । ବିଭିନ୍ନ ଜିଲ୍ଲାର ବିଜେଡି ନେତାଙ୍କ ସହ ଆଲୋଚନା କରିବା ସହ ଏକାଠି ହୋଇ ଦଳର ପ୍ରତିଷ୍ଠା ଦିବସ ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ସେହିଭଳି ଦଳର ପ୍ରତିଷ୍ଠା ଦିବସରେ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ବିଜେଡି ।
ପ୍ରତି ନିର୍ବାଚନ ମଣ୍ଡଳୀରେ ଦଳର ପ୍ରତିଷ୍ଠା ଦିବସ ପାଳନ ପାଇଁ ହୋଇଛି ନିଷ୍ପତ୍ତି । ପ୍ରତିଷ୍ଠା ଦିବସ ପୂର୍ବରୁ ଦଳରେ ଥିବା ମନମାଳିନ୍ୟ ଦୂର ପାଇଁ ନିଜେ ପ୍ରୟାସ ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଭିନ୍ନ ଜିଲ୍ଲାର ନେତାଙ୍କ ସହ ଓ୍ବାନ୍ ଟୁ ଓ୍ବାନ୍ ଆଲୋଚନା କରୁଛନ୍ତି ନବୀନ । ଗତ ନିର୍ବାଚନରେ ବିଜେଡିର ପରାଜୟ ସତ୍ତ୍ବେ ନବୀନଙ୍କ ପ୍ରତି ଦଳୀୟ ନେତା କର୍ମୀଙ୍କ ବିଶ୍ବାସ ଓ ଭରସା ଅତୁଟ ରହିଛି ।ବିଧାନସଭାରେ ଦଳ ଏବେ ଶକ୍ତିଶାଳୀ ବିରୋଧୀ ଦଳର ଭୂମିକାରେ ରହିଛି । ତେଣୁ ପୁଣି ଥରେ ଦଳୀୟ ସଂଗଠନକୁ ସୁଦୃଢ଼ କରି ଆଗକୁ ବଢ଼ିବାକୁ ପ୍ଲାନ୍ ଓ ପ୍ରୋଗ୍ରାମ ପ୍ରସ୍ତୁତ କରିଥିବା ବିଜେଡି ଏଥର ଦଳର ପ୍ରତିଷ୍ଠା ଦିବସକୁ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଜୋରଦାର ଢ଼ଙ୍ଗରେ ପାଳନ କରିବାକୁ ପ୍ରସ୍ତୁତି କରିଛି । ଯେଉଁଥି ପାଇଁ ଏକଜୁଟ୍ ହୋଇଛନ୍ତି ଦଳୀୟ ନେତା ଓ କର୍ମୀ । ଆଉ ଏହି ଅବସରରେ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ବିଜେଡି ।