କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଲିଛି କାଠ ମାଫିଆଙ୍କ ରାଜ
କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଓ ବଣ ଜଙ୍ଗଲ ଭରା ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ମାତ୍ରାରେ ବହୁ ମୂଲ୍ୟବାନ ଗଛବୃକ୍ଷ ରହିଛି। ଏହି ଜିଲ୍ଲାରେ ଅନେକ ସମୟରେ ଖଣିଜ ସମ୍ପଦ ଉପରେ ଖଣି ମାଫିଆ ମାନଙ୍କ ଉପଦ୍ରବ ଦେଖାଦେଉଥିବା ବେଳେ ଏହାର ଆଢ଼ୁଆଳ ର ସୁଯୋଗ ନେଇ କାଠ ମାଫିଆ ମାନେ ଅଞ୍ଚଳରୁ ବହୁ ମୂଲ୍ୟବାନ ଗଛବୃକ୍ଷ ଲୁଟିବାରେ ସକ୍ଷମ ହୋଇଥାନ୍ତି। ସେହିଭଳି ଏକ କାଠ ମାଫିଆ ଙ୍କ କାରନାମା ର ପର୍ଦ୍ଦାଫାଶ ହୋଇଛି। ଯାହାକି ସୂଚନା ରହିଛି କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ଯୋଡା ସେକ୍ସନ ର ବାଂଶପାଣି ରେଲୱେ କଲୋନୀର ଏକ ପରିତ୍ୟକ୍ତ ଅଞ୍ଚଳ ରୁ ବନ ବିଭାଗ ଚଢାଉ କରି ବିପୁଳ ପରିମାଣର କାଠ ଜବତ କରିଛି । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଆଜି ସଂନ୍ଧ୍ୟା ସମୟରେ ଉକ୍ତ ସ୍ଥାନରେ ବନ ବିଭାଗ ପକ୍ଷରୁ ସଦଳବଳେ ଅତର୍କିତ ଚଢାଉ କରିଥିଲେ । ଉକ୍ତ ଚଢ଼ଉ ପରେ ମୂଲ୍ୟବାନ ଶାଳ କାଠ ସହିତ ଅନ୍ୟାନ୍ୟ ଗଚ୍ଛିତଥିବା ଲକ୍ଷାଧିକ ଟଙ୍କାର କାଠ ବନ ବିଭାଗ ଜବତ କରିବା ସହିତ ଏହାର ତଦନ୍ତ ଆରମ୍ଭ କରିଛି । କିଏ ଓ କେଉଁ ପରିସ୍ଥିତିରେ ଓ କାହା ସହାୟତାର ଏସବୁ କାରବାର ଚଳାଇଥିଲା ତାହାର ତଦନ୍ତ ଆରମ୍ଭ କରିଛି ବନବିଭାଗ। ତେବେ ଏହା ଦେଖିବାକୁ ବାକିରହିଲା ବନବିଭାଗ ସ୍ବଚ୍ଛତା ସହ ଏହି ଘଟଣାର ତଦନ୍ତ କରୁଛି ନା କୌଣସି ପ୍ରକାରର ଚାପର ବସବର୍ତି ହୋଇ ଉକ୍ତ ଘଟଣାର ସଲାସୁତୁରା କରି ରଫାଦଫା କରୁଛି। ଯାହାକି ପୂର୍ବରୁ ଦେଖାଦେଇଛି ଏହି କେନ୍ଦୁଝର ବନଖଣ୍ଡ ଅଧିନରେ ଅନେକ ଗୁଡ଼ିଏ ଖଣି କମ୍ପାନୀ ଦିନକୁ ଦିନ ଜଙ୍ଗଲ ଜମିକୁ ମାଡ଼ି ବସୁଥିବା ବେଳେ ବନବିଭାଗ ଦେଖଣାହାରି ସାଜିଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



