ଜିନ୍ଦଲ କମ୍ପାନୀର ପ୍ରତିଶୃତି, ପାଣିରେ ଗାର ପକେଇବା ସଦୃଶ।ମୁଖ୍ୟମନ୍ତ୍ରୀଙ୍କ ନିଜସ୍ଵ ଜିଲ୍ଲା କେନ୍ଦୁଝର ଜିଲ୍ଲାରେ ଚାଲିଛି କମ୍ପାନୀ ରାଜ୍। କମ୍ପାନୀ ହାତକୁ ଭିଟାମାଟି ଟେକିଦେଇ ଲୁହ ପିଉଛନ୍ତି ବିସ୍ଥାପିତ। ୨୦୦୬ ମସିହାରୁ କମ୍ପାନୀ ଦ୍ୱାରା ବିସ୍ଥାପିତ ହୋଇ ଅଭିଶପ୍ତ ଜୀବନ ଜିଉଁଛନ୍ତି ଚମ୍ପୁଆ ଉପଖଣ୍ଡ ତଥା ଯୋଡ଼ା ଥାନା ଅନ୍ତର୍ଗତ କିତାବେଡା, ଦେଓଝର ଓ ସିଆଲଯୋଡ଼ା ର ଗ୍ରାମବାସୀ।2006 ମସିହାରେ କମ୍ପାନୀ ଜମି ଅଧିଗ୍ରହଣ ବେଳେ ମିଠାମିଠା ପ୍ରତିଶୃତିରେ ପୋତି ଦେଇଥିବା ଗ୍ରାମବାସୀ ଏବେ କମ୍ପାନୀ ହେବାର ୧୮ ବର୍ଷ ପରେ କମ୍ପାନୀ ହାତକୁ ଭିଟାମାଟି ଟେକି ଦେଇ ଭାଗ୍ୟକୁ ନିନ୍ଦୁଛନ୍ତି। ପରିସ୍ଥିତି ଏପରି ହୋଇଛି ଏବେ ବିସ୍ଥାପିତଙ୍କ ଦୁଃଖ ନା କମ୍ପାନୀ ଦେଖୁଛି ନା ପ୍ରଶାସନ ହୃଦୟଙ୍ଗମ କରୁଛି। ଏପରିକି ବିସ୍ଥାପିତଙ୍କ ଆଖିର ଲୁହ ଆଖିରେ ଶୁଖୁଥିବା ବେଳେ ଆଜି ବସ୍ଥାପିତଙ୍କ ସମସ୍ୟାକୁ ନେଇ ଚମ୍ପୁଆ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ବୈଠକରେ ସବୁ ଫସର ଫାଟିଯାଇଛି। ସୂଚନା ଅନୁଯାୟୀ ୨୦୦୬ ମସିହାରେ ଚମ୍ପୁଆ ଉପଖଣ୍ଡର ଦେଓଝର ଠାରେ ଜିନ୍ଦଲ ଷ୍ଟିଲ ଏକ କାରଖାନା ପାଇଁ ଜମି ଅଧିଗ୍ରହଣ କରିଥିଲା। ଦେଓଝର ପଞ୍ଚାୟତର କିତାବେଡା, ସିଆଲଯୋଡ଼ା, ଓ ଦେଓଝର ଗ୍ରାମର ଜନ ସାଧାରଣଙ୍କୁ ସେତେବେଳେ ମିଠା ମିଠା ପ୍ରତିଶୃତି ଦେଇ ଶାଗ ମାଛ ଦରରେ ତାଙ୍କ ଭିଟାମାଟି ନେବା ପରେ ଏବେ ପ୍ରତିଶୃତିରୁ ଓହରି ଯାଇ ଥିବାରୁ ଏବେ ଜମି ଦେଇ ସର୍ବହରା ହୋଇଛନ୍ତି ଏଠାକାର ବିସ୍ଥାପିତ। ଜମି ଅଧିଗ୍ରହଣ ବେଳେ ଦେଇଥିବା ପ୍ରତିଶୃତି ମଧ୍ୟରେ ବିସ୍ଥାପିତ ବେକାର ଯୁବକ, ଯୁବତୀଙ୍କୁ କମ୍ପାନୀରେ ନିଯୁକ୍ତି ସୁଯୋଗ, ବିସ୍ଥାପିତ ଙ୍କୁ ଜମି , ବିସ୍ଥାପିତଙ୍କ ପିଲାଛୁଆଙ୍କୁ ଉତ୍ତମ ଶିକ୍ଷା ବ୍ୟବସ୍ଥା, ସ୍ବାସ୍ଥ୍ୟ, ବିସ୍ଥାପିତ କଲୋନୀର ମୈଳିକ ସୁବିଧା ଆଦି ପ୍ରତିଶ୍ରୁତିକୁ ଜିନ୍ଦଲକମ୍ପାନୀ ଏବେ ଅଣଦେଖା କରି ଚାଲିଛି ଯାହା ପାଇଁ ଚମ୍ପୁଆ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ ବିସ୍ଥାପିତ ଲୋକେ।ବିସ୍ଥାପିତ ଠିକା କର୍ମଚାରୀଙ୍କୁ କମ୍ପାନୀ ରେ ସ୍ଥାୟୀ ନିଯୁକ୍ତି, ଆବଶ୍ୟକ ବେଳେ କୌଣସି କାରଣ ନ ଥାଇ କମ୍ପାନୀରେ କାର୍ଯ୍ୟ କରୁଥିବା ବିସ୍ଥାପିତଙ୍କୁ ଛଟେଇ କରିଥିବା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ବିସ୍ଥାପିତଙ୍କୁ ଲିଜ ଦିଆ ଯାଇଥିବା ଜମି ଗୁଡିକର ପଟା ପ୍ରଦାନ, ବିସ୍ଥାପିତ ପରିବାରର ପିଲା ମାନଙ୍କୁ କମ୍ପାନୀର ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନର ବ୍ୟବସ୍ଥା, କମ୍ପାନୀରେ ନିଯୁକ୍ତି ପାଇଥିବା ବିସ୍ଥାପିତଙ୍କ ମୃତ୍ଯୁ ପରେ ତାଙ୍କ ପୁଅ, ଝିଅଙ୍କୁ ନିଯୁକ୍ତି ସୁଯୋଗ, ବିସ୍ଥାପିତ କଲୋନୀ ଗୁଡିକରେ ଡିସ୍ପେନସାରୀ ରେ ସ୍ୱାସ୍ଥ୍ୟସେବା ମିଳୁ ନ ଥିବାରୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା, ବିସ୍ଥାପିତଙ୍କୁ ଆମ୍ବୁଲାନ୍ସ ସେବା, ବିସ୍ଥାପିତ ଗ୍ରାମ ଗୁଡିକର ପାରିପାର୍ଶିକ ଉର୍ନ୍ନତି ପରି ୧୧ଦଫା ଦାବୀ ନେଇ ଚମ୍ପୁଆ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଏହି ଦାବୀ ପୂରଣ ନ କଲେ କମ୍ପାନୀ ବାହାରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେବା ଓ କମ୍ପାନୀ ଗେଟ୍ ରେ ଚାବି ପକାଇବା ଚେତାବନୀ ପରେ ଆଜି ଚମ୍ପୁଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିନ୍ଦଲ କମ୍ପାନୀ କର୍ତୃପକ୍ଷ ଓ ବିସ୍ଥାପିତଙ୍କ ମଧ୍ୟରେ ଏକ ବୈଠକ ଉପଜିଲ୍ଲାପାଳଙ୍କ ଉପସ୍ଥିତି ରେ ଆୟୋଜିତ ହୋଇଥିଲା। ଏହି ବୈଠକରେ ଜିନ୍ଦଲ କମ୍ପାନୀ କର୍ତୃପକ୍ଷ ସହିତ ତିନି ଶହରୁ ଉର୍ଦ୍ଧ୍ବ ବିସ୍ଥାପିତ ଉପସ୍ଥିତ ଥିଲେ।ତେବେ ବୈଠକ ରେ ବିସ୍ଥାପିତଙ୍କ ଦାବିକୁ ଗ୍ରହଣ କରିବାରେ ଜିନ୍ଦଲ କମ୍ପାନୀର ଟାଳଟୁଳ ନିତି ଅବଲମ୍ବନ କରିବା ପରେ ଏହାକୁ ନେଇ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଥିଲା। ବିସ୍ଥାପିତ ଗ୍ରାମବାସୀଙ୍କ ଅସନ୍ତୋଷ ଅଘଟଣର ରୂପ ନେବାର ଆଶଙ୍କା ଥିବାରୁ କାର୍ଯ୍ୟାଳୟ ପରିସରରେ ପୋଲିସ ବଳୟ ଉପସ୍ଥିତ ଥିଲେ। ଅନ୍ୟପଟେ ଏନେଇ ଜିନ୍ଦଲ୍ କମ୍ପାନୀ ତରଫରୁ ଆସିଥିବା ଅଧିକାରୀ ଆଶିଷ ରଞ୍ଜନ ମହାନ୍ତି ଗଣମାଧ୍ୟମ କୁ ମୁଁ କୈାଣସି ମତାମତ ଦେବା ପାଇଁ ଅଥରିଟି ନୁହେଁ କହି ଏଡାଇ ଯାଇଥିଲେ । ତେବେ ଆଜି ର ଘଟଣା କମ୍ପାନୀ ବିରୋଧ ରେ ଦାନା ବାନ୍ଧୁଥିବା ଅସନ୍ତୋଷ ଖୁବ୍ ଶୀଘ୍ର କମ୍ପାନୀ ଓ ପ୍ରଶାସନର ମୁଣ୍ଡ ବଥାର କାରଣ ପାଲଟିବ ଏଥିରେ କୌଣସି ସନ୍ଦେହ ନାହିଁ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
/ January 20, 2025
No Comments