*କପିଳାସ ବନ୍ୟପ୍ରାଣୀ ଅଭୟାରଣ୍ୟ ଠାରେ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ବିଶାଳ ସଫେଇ କାର୍ଯ୍ୟକ୍ରମ*
୧୦ ଟନରୁ ଉର୍ଦ୍ଧ୍ବ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଫାକଲେ ୨୫୦ କର୍ମଚାରୀ
ଢେଙ୍କାନାଳ, ୦୪/୦୧: ପରିବେଶ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଆଜି ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ବନ ଅଧିକାରୀଙ୍କ ନେତୃତ୍ୱରେ ଟାଟା ଷ୍ଟିଲର ୨୫୦ରୁ ଉର୍ଦ୍ଧ୍ବ କର୍ମଚାରୀ ଏକାଠି ହୋଇ କପିଳାସ ପାହାଡ଼ ନିକଟରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। କପିଳାସ ବନ୍ୟପ୍ରାଣୀ ଅଭୟାରଣ୍ୟ ଅଞ୍ଚଳ, ଚନ୍ଦ୍ରଶେଖର ଜୀଉ ମନ୍ଦିରକୁ ଯାଉଥିବା ରାସ୍ତା ଏବଂ ଟାଟା ଷ୍ଟିଲ କପିଳାସ ହାଫ୍ ମାରାଥନର ପ୍ରସ୍ତାବିତ ସ୍ଥାନଠାରେ ଏହି ସଫେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ କମ୍ପାନୀ କର୍ମଚାରୀମାନେ ସ୍ବେଚ୍ଛାକୃତ ଭାବେ ଯୋଗଦେଇ ୧୦ ଟନରୁ ଉର୍ଦ୍ଧ୍ବ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଫା କରିଥିଲେ।ସୂଚନାଯୋଗ୍ୟ, କର୍ମଚାରୀ ସ୍ବେଚ୍ଛାସେବୀତା ଉପକ୍ରମ ଜରିଆରେ କର୍ମଚାରୀମାନେ ବିଭିନ୍ନ ସମୟରେ କମ୍ପାନୀ ପରିସର ଓ ଏହାର ଆଖପାଖ ଅଞ୍ଚଳରେ ଏହିପରି ସ୍ବେଚ୍ଛାସେବୀ ଗୋଷ୍ଠୀକଲ୍ୟାଣ କାର୍ଯ୍ୟକ୍ରମମାନ କରି ଆସୁଛନ୍ତି। ହାତୀ ମାନଙ୍କ ସୁରକ୍ଷା ସହ ଏକ ସୁସ୍ଥ ସବୁଜ ପରିବେଶ ବଜାୟ ରଖିବାପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆସନ୍ତା ୧୧ ତାରିଖରେ କପିଳାସ ହାଫ୍ ମାରାଥନ୍ – ୨୦୨୫ କପିଳାସ ପାହାଡ଼ ପାଦଦେଶରେ ହେବାକୁ ଯାଉଛି l ଏହି ବିଶାଳ ଗଣଦୌଡ଼କୁ ଦୃଷ୍ଟିରେ ରଖି ସଫେଇ ଅଭିଯାନ ଆୟୋଜିତ ହୋଇଛି l ଏହି ଗଣଦୌଡ଼ ସମସ୍ତଙ୍କ ପାଇଁ ଶାରିରୀକ ଫିଟନେସର ବାର୍ତ୍ତା ମଧ୍ଯ ପ୍ରଦାନ କରୁଛି।ପ୍ରକାଶ ଥାଉକି, ପରିବେଶ ଦୃଷ୍ଟିରୁ ବିଶେଷ ଗୁରୁତ୍ବ ବହନ କରୁଥିବା କପିଳାସ ବନ୍ୟପ୍ରାଣୀ ଅଭୟାରଣ୍ୟର ସବୁଜିମା ବଜାୟ ରଖିବା ପାଇଁ ଏବଂ ଗଜରାଜଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଗତବର୍ଷଠାରୁ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଗଣଦୌଡ଼ର ଆୟୋଜନ କରାଯାଇ ଆସୁଅଛି।