ଭୂବନେଶ୍ୱର: ଭକ୍ତକବି ମଧୁସୂଦନ ରାଓ ଛବିଳ ମଧୁ ବର୍ଣ୍ଣବୋଧ ବହି ପ୍ରକାଶ କରି ରାଜ୍ୟ ପାଇଁ ଗୌରବ ଆଣିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ‘ବର୍ଣ୍ଣବୋଧ’ର ପୁନଃମୁଦ୍ରିତ ସଂସ୍କରଣ ଓ ଏହାର ଡିଜିଟାଲ କପି ଉନ୍ମୋଚନ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଚଳିତ ବର୍ଷ ଏହି ପୁସ୍ତକର ୧୦ ହଜାର କପି ଛପାଇବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।
ପବିତ୍ର ଶ୍ରୀ ପଞ୍ଚମୀ ଓ ଭକ୍ତକବି ମଧୁସୂଦନ ରାଓଙ୍କ ଜନ୍ମତିଥି ଅବସରରେ ତାଙ୍କ ରଚିତ ବର୍ଣ୍ଣବୋଧକୁ ନୂତନ ଭାବେ ପ୍ରକାଶ କରିବା ଭକ୍ତକବିଙ୍କ ପ୍ରତି ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ଥିତ କୃଷି ଭବନ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଆ ଭାଷାର ନିଜତ୍ଵ, ମୂଳ ସ୍ୱରୂପକୁ ଜନମାନସରେ ଆଦୃତ କରିବା ପାଇଁ ଲେଖା ହୋଇଥିଲା ‘ବର୍ଣ୍ଣବୋଧ’। ଏହାର ରଚୟିତା ଭକ୍ତକବି ମଧୁସୂଦନ ରାଓ ଅତି ଚମତ୍କାର ଭାବେ ଅକ୍ଷର, ବର୍ଣ୍ଣ, ଯୁକ୍ତାକ୍ଷର, ଶବ୍ଦ, ଶବ୍ଦ ଗଠନ, ବାକ୍ୟ ଗଠନକୁ କିପରି ସରଳ ଭାବେ କୋମଳମତି ଛାତ୍ରଛାତ୍ରୀଙ୍କୁ ଶିଖାଇ ହେବ ଏହି ପୁସ୍ତକରେ ପ୍ରତିପାଦିତ କରିଛନ୍ତି।
ଆହୁରି ମଧ୍ୟ ସେ କହିଛନ୍ତି ଯେ, ମା’, ମାତୃଭୂମି ଏବଂ ମାତୃଭାଷା ଯେ କୌଣସି ମାନବର ସବୁଠାରୁ ବଡ ପରିଚୟ। ଯଦି କେହି ଏହାର ହତାଦର କରେ, ତାକୁ ସ୍ଵଭାବ କବି ଅଜ୍ଞାନ କହିଥିଲେ ନିଜ କାଳଜୟୀ ରଚନାରେ। ବର୍ଣ୍ଣବୋଧର ଭାଷା ଥିଲା ଅତ୍ୟନ୍ତ ସହଜ ଓ ସରଳ। ପଶୁ, ପକ୍ଷୀ, ସକାଳ, ସନ୍ଧ୍ୟା, ଆଖପାଖର ଦୃଶ୍ୟ ଭଳି ସହଜ ଉଦାହରଣ ସବୁ ଦେଇ, ଭକ୍ତକବି କୋମଳ ମନକୁ ଆକର୍ଷିତ କରିଥିଲେ। ଏହି ବହିଟି ଅତି କମ୍ ଦିନରେ ପ୍ରତ୍ୟେକ ଓଡ଼ିଆ ପରିବାରର ଅଂଶ ପାଲଟିଗଲା। ୧୮୯୫ରେ ବହିଟି ପ୍ରଥମେ ପ୍ରକାଶିତ ହୋଇଥିଲା। ଏହାର ଲୋକପ୍ରିୟତା ଏଭଳି ବଢିଥିଲା ଯେ ୧୮୯୫ରୁ ୧୯୦୧ ଭିତରେ ବହିର ଆଠଟି ସଂସ୍କରଣ ହୋଇଥିଲା।ଆମେ ସବୁ ଏହି ‘ବର୍ଣ୍ଣବୋଧ’କୁ ପଢି ବଡ଼ ହୋଇଛୁ, ଓଡିଆ ଭାଷାକୁ ଶିଖିଛୁ। ବର୍ଣ୍ଣବୋଧ ଆମ ମାଟି, ପାଣି ଓ ପବନରେ ପ୍ରଗାଢ଼ ଆସ୍ଥାର ଅଣୁ ପରମାଣୁ ହେଇ ସଂଚରି ଯାଇଛି। ଆମ ପାଇଁ ‘ବର୍ଣ୍ଣବୋଧ’ କହିଲେ ଥିଲା, ‘ଛବିଳ ମଧୁ ବର୍ଣ୍ଣବୋଧ’।ଏହି ଅବସରରେ ମୁଖ୍ୟମନ୍ତ୍ରୀ ବର୍ଣ୍ଣବୋଧର ଡିଜିଟାଲ ସଂସ୍କରଣ, ଭାଷା ପ୍ରତିଷ୍ଠାନର ମୁଖପତ୍ର ‘ଭାଷାପତ୍ର’, ସତ୍ୟନାରାୟଣ ବହିଦାର ଏବଂ ବାସୁଦେବ ସାହୁଙ୍କ ଜୀବନୀ ପୁସ୍ତକ ମଧ୍ୟ ଉନ୍ମୋଚନ କରିଥିଲେ ଏବଂ ଭକ୍ତକବିଙ୍କ ପରିବାର ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

