ଭୂବନେଶ୍ୱର, ୦୪/୦୨ : ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ୍ରେ ହେବାକୁ ଥିବା ଭାରତ ଇଂଲଣ୍ଡ୍ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ ପାଇଁ ଆସନ୍ତାକାଲି ଠାରୁ ଟିକଟ୍ ବିକ୍ରି ଆରମ୍ଭ ହେବ । ଆସନ୍ତାକାଲି ସକାଳ ପ୍ରାୟ ୯ ଟାରୁ ଟିକେଟ୍ ବିକ୍ରି ହେବ । ଏନେଇ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ରାତି ପ୍ରାୟ ୯ଟାଠାରୁ ଫୋର୍ସ ମୁତୟନ କରାଯିବ ।
ରାତିରୁ ପ୍ରାୟ ୯ ପ୍ଲାଟୁନ୍ ଫୋର୍ସ ଷ୍ଟାଡିୟମ୍ ପାଖରେ ରହିବେ । ରାତିରୁ ଲାଇନ୍ ଲଗାଇବାକୁ ପୁଲିସ ବାରଣ କରିଛି । ତେଣୁ ସକାଳ ପର୍ଯ୍ୟନ୍ତ କାଉଣ୍ଟର ପାଇଁ ତିଆରି ହୋଇଥିବା ବ୍ୟାରିକେଡ୍ ପାଖକୁ ଦର୍ଶକଙ୍କୁ ଛଡ଼ାଯିବନି। ରହିଥିବା ଫୋର୍ସ ରାତି ତମାମ୍ କାଉଣ୍ଟର ପାଖରେ ପଇଁତରା ମାରିବେ ।ଏମିତିକି ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ନେଇ ଆଶଙ୍କା ଥିବାରୁ ପ୍ରାୟ ୨୦ ଜଣ ଅଫିସର ଓ ଜଣେ ଏସିପି ମଧ୍ୟ ସୁରକ୍ଷା ତଦାରଖ କରିବେ । ତେବେ ସକାଳ ହେବା ପରେ ଆଉ ବାକି ୧୯ ପ୍ଲାଟୁନ୍ ଫୋର୍ସଙ୍କୁ ଦାୟିତ୍ୱ ଦିଆଯିବ । ଶାନ୍ତି ଶୃଙ୍ଖଳାର ସହିତ ଟିକଟ୍ ବିକ୍ରି କରିବା ପାଇଁ ପୁଲିସ ପକ୍ଷରୁ ସବୁପ୍ରକାର ଉଦ୍ୟମ ହେଉଥିବା ସୂଚନା ଦିଆଯାଇଛି । ତେବେ ସେଠାରେ କେହି ଟିକଟ୍ ପାଇଁ ଗଣ୍ଡଗୋଳ କଲେ କିମ୍ବା ଟିକଟ୍ ଆଣି ବ୍ଲାକ୍ କରାଇଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଗୁରୁବାର ଦିନ ମଧ୍ୟ କାଉଣ୍ଟର ଖୋଲିବ ବୋଲି ସୂଚନା ମିଳିଛି । ବୁଧବାର ବଳକା ରହିଥିବା ଟିକଟ୍କୁ ଗୁରୁବାର ଦିନ ବିକ୍ରି କରାଯିବ । ତେଣୁ ସେଦିନର ଗହଳି ଦେଖି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।