ଅମୃତସର: ବୁଧବାର ଅପରାହ୍ନରେ ଅବୈଧ ଭାରତୀୟ ପ୍ରବାସୀଙ୍କୁ ନେଇ ଆମେରିକୀୟ ସାମରିକ ବିମାନ ଅମୃତସରରେ ଅବତରଣ କରିଛି। ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଦାୟିତ୍ୱ ନେବା ପରେ ଦେଶରେ ପ୍ରବାସୀମାନଙ୍କ ବିରୁଦ୍ଧରେ ଏହା ପ୍ରଥମ କାର୍ଯ୍ୟାନୁଷ୍ଠାନ। ଏହି ବିମାନରେ ୨୦୫ ଜଣ ଲୋକ ଥିଲେ ବୋଲି ଜଣା ପଡ଼ିଛି, ଯେଉଁଥିରୁ ୧୦୪ ଜଣଙ୍କୁ ଭାରତୀୟ ଭାବେ ଚିହ୍ନଟ କରାଯାଇଛି।
ପଞ୍ଜାବ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ବିମାନଟି ଶ୍ରୀ ଗୁରୁ ରାମଦାସ ଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା।ବିମାନବନ୍ଦରରେ ଥିବା ଆମେରିକୀୟ ଦୂତାବାସର ଜଣେ ଅଧିକାରୀ କହିଛନ୍ତି, ବିମାନରେ ମୋଟ ୧୦୪ ଭାରତୀୟଙ୍କ ମଧ୍ୟରେ ଅଛନ୍ତି ୧୩ ଜଣ ପିଲା, ୭୯ ଜଣ ପୁରୁଷ ଏବଂ ୨୫ ଜଣ ମହିଳା। ଅଧିକାଂଶ ଲୋକ ୪୦ ବର୍ଷରୁ କମ୍ ବୟସର ଥିବା ଜଣାପଡିଛି। ଏହି ଭାରତୀୟମାନଙ୍କ ମଧ୍ୟରୁ ୩୩ ଜଣ ହେଉଛନ୍ତି ଗୁଜରାଟର ନିବାସୀ। ଏମାନେ ଅମୃତସର ଏୟାରପୋର୍ଟ ପରିସରରେ ରହିବେ ଏବଂ ଏଠାରୁ ହିଁ ସିଧା ସେମାନଙ୍କୁ ଗୁଜରାଟ ପଠାଯିବ।
ସୂଚନା ମୁତାବକ, ଆମେରିକାରୁ ନିର୍ବାସିତ ଭାରତୀୟମାନଙ୍କୁ ମେକ୍ସିକୋ-ଆମେରିକା ସୀମାରୁ ଧରାଯାଇଥିଲା। ଏହି ଭାରତୀୟମାନେ ଅବୈଧ ଭାବରେ ଭାରତ ଛାଡ଼ିଥିଲେ। କିନ୍ତୁ ସେମାନେ ଡଙ୍କି ରୁଟ୍ ଜରିଆରେ ଆମେରିକାରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଆମେରିକାରୁ ୧୦୪ ଅବୈଧ ପ୍ରବାସୀ ଭାରତୀୟଙ୍କୁ ଧରି ୟୁଏସ୍ ଏୟାରଫୋର୍ସର C-17 ଗ୍ଲୋବମାଷ୍ଟର ଏୟାରକ୍ରାଫ୍ଟ ଟେକ୍ସାସ୍ ନିକଟ ସୈନ୍ୟ ଆଡ୍ଡାରୁ ଉଡ଼ାଣ ଭରିଥିଲା। ଟ୍ରମ୍ପ ସରକାର ଅବୈଧ ପ୍ରବାସୀଙ୍କୁ ପରିବହନ କରିବା ପାଇଁ ସାମରିକ ବିମାନ ବ୍ୟବହାର କରିଆସୁଛନ୍ତି। ପୂର୍ବରୁ ଆମେରିକୀୟ ସାମରିକ ବିମାନ ଯୋଗେ ଗୁଆଟେମାଲା, ପେରୁ ଏବଂ ହଣ୍ଡୁରାସକୁ ମଧ୍ୟ ଅବୈଧ ପ୍ରବାସୀମାନଙ୍କୁ ସେମାନଙ୍କ ଦେଶକୁ ପଠାଯାଇଥିଲା।
ଅନ୍ୟପଟେ ଅମୃତସର ବିମାନବନ୍ଦରର ନିର୍ଦ୍ଦେଶକ, ଡେପୁଟି କମିଶନର, କାଶ୍ମୀରର ପୋଲିସ କମିଶନର ଏବଂ CIF ନିର୍ଦ୍ଦେଶକ ଏକ ବୈଠକ କରିଥିଲେ। ଏହି ସମୟ ମଧ୍ୟରେ, ସୁରକ୍ଷା ବ୍ୟବସ୍ଥା ସ୍ୱରୂପ, ବିମାନବନ୍ଦରର କାର୍ଗୋ ଗେଟ୍ ଏବଂ ଅନ୍ୟ ଏକ ପ୍ରବେଶ ପଥକୁ ବ୍ୟାରିକେଡ୍ କରାଯାଇଥିଲା। ଏବେ ଏଠାରେ ପହଞ୍ଚିଥିବା ଲୋକମାନଙ୍କର କଣ ହେବ ସେ ନେଇ ଅପେକ୍ଷା। କାରଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ସମସ୍ତ ଲୋକଙ୍କ ରେକର୍ଡ ଯାଞ୍ଚ କରାଯିବ। ଏହା ମଧ୍ୟ ଆଶଙ୍କା ଅଛି ଯେ ସେମାନଙ୍କ ମଧ୍ୟରୁ କାହାର ଅପରାଧିକ ପୃଷ୍ଠଭୂମି ଥାଇପାରେ କିମ୍ବା ଅପରାଧ କରିବା ପରେ ଭାରତରୁ ପଳାଇ ଯାଇଥାଇପାରନ୍ତି।