ଲାହୋର: ପାକିସ୍ତାନ ଅଧିକୃତ କାଶ୍ମୀରରେ ଆୟୋଜିତ ଏକ ସମ୍ମିଳନୀରେ ହମାସ ନେତାମାନେ ଅଂଶଗ୍ରହଣ କରିଥିଲେ। ଯେଉଁଠାରେ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୈବାର ଆତଙ୍କବାଦୀମାନେ ସେମାନଙ୍କୁ ଭିଆଇପି ସ୍ୱାଗତ କରି ପାଛୋଟି ନେଇଥିଲେ।
ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏଥିରେ ଦେଖିବାକୁ ମିଳୁଛି ଯେ ହମାସ ନେତାମାନେ ଏକ ବିଳାସପୂର୍ଣ୍ଣ ଏସୟୁଭିରେ ରାୱଲକୋଟର ସହିଦ ସବିର ଷ୍ଟାଡିୟମକୁ ଯାଉଛନ୍ତି।
ଏହି ଲକଜୁରୀ ଗାଡି଼ ଆଗରେ ଏବଂ ପଛରେ ଜୈଶ ଏବଂ ଲସ୍କର ଆତଙ୍କବାଦୀମାନେ ବାଇକ୍ ଓ ଘୋଡା ଉପରେ ବସି ଯାଉଥିବା ଦେଖାଯାଇଛି।ଅନ୍ୟ ଏକ ଭିଡିଓରେ ଦେଖାଯାଉଛି ଯେ, ଜୈଶ ଏବଂ ଲସ୍କର ଆତଙ୍କବାଦୀମାନେ ପାଲେଷ୍ଟାଇନ ପତାକା ସହିତ ବାଇକ୍ ଏବଂ ଘୋଡା ଉପରେ ବସି ଯାଉଛନ୍ତି। ହମାସ ନେତାମାନେ ଆସିବା ମାତ୍ରେ ସେମାନଙ୍କ ଉପରକୁ ଫୁଲ ବର୍ଷା କରାଯାଉଥିଲା।ଅପରପକ୍ଷରେ ଫେବୃଆରୀ ୫ରେ ପାକିସ୍ତାନରେ ‘ଅଲ୍ ଆକ୍ସା ଫ୍ଲଡ୍ ସମ୍ମିଳନୀ’ ଆୟୋଜିତ ହୋଇଥିଲା। ଏହି ଅବସରରେ ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାରଙ୍କ ଭାଇ ତଲହା ସୈଫ ଏବଂ ଜୈଶ କମାଣ୍ଡର ଅସଗର ଖାନ କାଶ୍ମୀରୀ ଉପସ୍ଥିତ ଥିଲେ।