ଭୂବନେଶ୍ବର: ଶୁକ୍ରବାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଡୁମୁଡୁମାରେ ନୂଆ ଶ୍ମଶାନ ଭୂମିର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ସେହିଭଳି ମନ୍ତ୍ରୀ ଶ୍ରୀ ମହାପାତ୍ର ଖଣ୍ଡଗିରିରେ ୨୨ଟି ଟ୍ରାଫିକ୍ ସହାୟତା କେନ୍ଦ୍ରର ଉଦ୍ଘାଟନ କରିଥିଲେ ।
ସ୍ମାର୍ଟ ସିଟି ଭୁବନେଶ୍ୱର କ୍ରମାଗତ ସବୁ କ୍ଷେତ୍ରରେ ଉନ୍ନତି କରୁଥିବାବେଳେ ମୃତ୍ୟୁପରେ ମଣିଷର ସମ୍ମାନ ଓ ତାଙ୍କ ପରିବାରର ସୁବିଧା ନିଶ୍ଚିତ କରିବାକୁ ସରକାର ଦୃଢ଼ ସଂକଳ୍ପବଦ୍ଧ ।
ଏହି ପରିପ୍ରେକ୍ଷୀରେ ଡୁମୁଡୁମାରେ ନିର୍ମିତ ହେବାକୁ ଥିବା ନୂଆ ଶ୍ମଶାନ ଭୂମି ୧.୫୮ ଏକର ଜମିରେ ବିସ୍ତୃତ ହେବ ଏବଂ ଏହା ମୋଟ ୪.୬୦ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତୁତ ହେବ ।ଏଥିରେ ଅପେକ୍ଷା କରିବା ପାଇଁ ବଡ଼ ହଲ୍, ପୁରୁଷ ଏବଂ ମହିଳାମାନଙ୍କ ପାଇଁ ଅଲଗା ପୋଷାକ ପରିବର୍ତ୍ତନ କକ୍ଷ, ପ୍ରଶାସନିକ ଭବନ, ଜଳାଶୟ ଏବଂ ଦାହ ସଂସ୍କାର ପାଇଁ ଆଧୁନିକ ବିଦ୍ୟୁତ/ଗ୍ୟାସ ଭଳି ବ୍ୟବସ୍ଥା ରହିବ । ଅନ୍ୟପଟେ ସମସ୍ତଙ୍କ ସୁବିଧା ସକାଶେ, ଏହି ସ୍ମଶାନରେ ରାମ୍ପ ଏବଂ ସାଇନେଜ୍ ବ୍ୟବସ୍ଥା ରହିବ । ଏଠି ଗାଡ଼ି ପାର୍କିଂ ପାଇଁ, ସୁରକ୍ଷା ସୁବ୍ୟବସ୍ଥା ରହୁଥିବାବେଳେ ପରିବେଶ ସୁରକ୍ଷାକୁ ଧ୍ୟାନରେ ରଖି ଏକ ବର୍ଜ୍ୟବସ୍ତୁ ପରିଚାଳନା ପ୍ରଣାଳୀ ମଧ୍ୟ ରହିବ ।ସେହିପରି, ମନ୍ତ୍ରୀ ଖଣ୍ଡଗିରିରେ ୨୨ଟି ଟ୍ରାଫିକ୍ ସହାୟତା କେନ୍ଦ୍ରର ଉଦ୍ଘାଟନ କରିଛନ୍ତି । ଏହି କେନ୍ଦ୍ରଗୁଡ଼ିକ ଦୀର୍ଘ ସମୟ ଧରି ରୋଡ଼ରେ କାର୍ଯ୍ୟରତ ଥିବା ଟ୍ରାଫିକ୍ ପୋଲିସ ଅଧିକାରୀମାନଙ୍କ ସୁବିଧା ନିମନ୍ତେ ପ୍ରସ୍ତୁତ କରାଯାଇଛି। ଏଠି ପରିଶ୍ରାଗାର, ବିଶ୍ରାମ ସ୍ଥଳ ଭଳି ସୁବିଧା ରହିଥିବାବେଳେ ଟ୍ରାଫିକ୍ ନିରୀକ୍ଷଣ ସେବାକୁ ସୁପରିଚାଳନା କରିବା ପାଇଁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି ।
ସହରର ପ୍ରମୁଖ ଛକରେ ଟ୍ରାଫିକ୍ ପରିଚାଳନାକୁ ଅଧିକ ସୁଗମ କରିବା ପାଇଁ, ମୋଟ ୨୨ଟି ଟ୍ରାଫିକ୍ ସହାୟତା କେନ୍ଦ୍ର ନିର୍ମାଣ କରି ପୋଲିସ୍ କମିଶନରେଟକୁ ହସ୍ତାନ୍ତରିତ କରାଯାଇଛି । ଏହି କେନ୍ଦ୍ରଗୁଡ଼ିକ ନିର୍ମାଣ ପାଇଁ ମୋଟ ୨.୬କୋଟି ଟଙ୍କା ବ୍ୟୟରେ ହୋଇଛି । ଏହି କେନ୍ଦ୍ରଗୁଡ଼ିକ ଟ୍ରାଫିକ୍ ପୋଲିସ ଅଧିକାରୀମାନଙ୍କ ପାଇଁ ବିଶ୍ରାମ ସ୍ଥଳ ଭାବେ କାମ କରିବ, ଯାହା ତାଙ୍କୁ ଚାପରେ କାମ କରିବା ସମୟରେ ଅବଶ୍ୟକତା ଅନୁଯାୟୀ ବିଶ୍ରାମ ନେବାର ସୁଯୋଗ ଦେବ । ଏଥିରେ ବିଶ୍ରାମ କୋଠା ଏବଂ ପିଇବା ପାଣି ସୁବିଧା ମଧ୍ୟ ରହିଛି।ଏହି ଅବସରରେ ଏକାମ୍ର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ବାବୁ ସିଂ, ଅତିରିକ୍ତ ପୋଲିସ କମିଶନର ଡ଼ଃ ଉମାଶଙ୍କର ଦାଶ, ବିଡିଏ ଉପାଧ୍ୟକ୍ଷ ଡା.ଏନ୍. ତିରୁମାଲା ନାୟକ ଏବଂ ବିଡିଏର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।