ଚୋରାଚାଲାଣ ବେଳେ ଦୁଇ ଗୋରୁ ବାଝେଇ ପିକ୍ଅପ ଜବତ, ତିନି ଜଣ ଗିରଫ
କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଳି ଅଞ୍ଚଳରୁ ୨ଟି ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ୍ କରିଛି ପୋଲିସ୍। ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଥିବା ବେଳେ, ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ।ସୁନ୍ଦରଗଡ଼ରୁ ଝାଡଖଣ୍ଡକୁ ଦୁଇଟି ଗାଡିରେ ଗୋରୁ ଚାଲାଣ ହେଉଥିବା ସମ୍ପର୍କରେ ଯୋଡ଼ା ପୋଲିସ୍ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବିଲେଇପଦା ନିକଟରେ ଗାଡ଼ି ଗୁଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲା । ତେବେ ଗାଡ଼ି ଗୁଡ଼ିକ ନଅଟକି ଦ୍ରୁତଗତିରେ ପଳାଇବାକୁ ଚେଷ୍ଟା କରିଥିଲେ । ଏନେଇ ଯୋଡ଼ା ପୋଲିସ୍ ଚମ୍ପୁଆ ପୋଲିସକୁ ଖବର ଦେବା ସହ ଗାଡ଼ି ଗୁଡ଼ିକୁ ପିଛା କରିଥିଲେ । ପରେ ଚମ୍ପୁଆ ଓ ଯୋଡ଼ା ପୋଲିସ୍, ରିମୁଳି ଛକ ନିକଟରୁ ଗୋଟିଏ ଏବଂ ଗୋପୀନାଥପୁର ନିକଟରୁ ଅନ୍ୟ ଗୋଟିଏ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନକୁ ଧରିବାରେ ସକ୍ଷମ ହୋଇଥିଲା। ଏହି ଘଟଣାରେ ୩ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ, ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି । ଜବତ୍ ଗାଡ଼ି ଭିତରୁ ୧୧ ଗୋରୁଙ୍କୁ ଉଦ୍ଧାର କରାଯାଇ ଏବେ ରିମୁଳି ଫାଣ୍ଡି ପରିସରରେ ରଖାଯାଇଛି । ଘଟଣା ପରେ ବେଆଇନ୍ ଗୋରୁ ଚାଲାଣକୁ ନେଇ ରିମୁଳି ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିବା ବେଳେ ପୋଲିସ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିଛି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ