
ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗଡସନ୍ତ୍ରୀ ପଞ୍ଚାୟତର ଭାଗବତପୁର ଗ୍ରାମରେ ଗତ ମଙ୍ଗଳବାର ରାତିରେ ଘରେ ପଶି ଖୁଡୀ ଓ ଝିଆରୀଙ୍କୁ ଛୁରୀ ଲଗାଇ ଟଙ୍କା, ସୁନା ଲୁଟ ଘଟଣା ର ପର୍ଦାଫାଶ କରିଛି ବଅଁରପାଳ ପୋଲିସ । ପୋଲିସ ଜିଲ୍ଲା ର ବିଭିନ୍ନ ଜାଗାରେ ଚଢ଼ାଉ କରି ଏହି ଲୁଟ ଘଟଣାରେ ସଂଶ୍ଲିଷ୍ଟ ଥିବା ୭ଜଣ ଲୁଟେରା ଙ୍କୁ ଗିରଫ କରିବାସହ ସେମାନଙ୍କ ଠାରୁ ନଗଦ ଟଙ୍କା, ସୁନା ଗହଣା, ବାଇକ ଓ ମୋବାଇଲ ଫୋନ୍ ଜବତ କରିଥିବା ଶନିବାର ଅନୁଷ୍ଠିତ ସାମ୍ବାଦିକ ସମିଳନୀରେ ଅନୁଗୁଳ ଏସପି ରାହୁଲ ଜୈନ କହିଛନ୍ତି ।

ଏସ ପି ଶ୍ରୀ ଜୈନ ସୂଚନା ଦେଇଛନ୍ତି ଯେ, ଗତ ମଙ୍ଗଳବାର ବଅଁରପାଳ ଥାନା ଭାଗବତପୁର ଗ୍ରାମର ବିଜୟ ଭୁତିଆ ତାଙ୍କ ସ୍ତ୍ରୀ ଯୋରନ୍ଦା ମେଳା ଦେଖିବାକୁ ଯାଇଥିବାବେଳେ ଘରେ ଭାଇବୋହୁ ଓ ତାଙ୍କର ଛୋଟଛୁଆ ଥିଲେ । ରାତିରେ ଘର ମଧ୍ୟକୁ ୭ ଜଣ ବ୍ୟକ୍ତି ପ୍ରବେଶ କରି ଭିତର ପାଖରୁ କବାଟ ବନ୍ଦ କରି ବିଜୟଙ୍କ ଭାଇବୋହୂଙ୍କ ମୁହଁରେ ଟେପ୍ ବାନ୍ଧି ହାତକୁ ବାନ୍ଧି ପିଟିବା ସହ ବିଜୟଙ୍କ ଝିଅ ବେକରେ ଛୁରୀ ଲଗାଇ ଓ ଦୁଇ ଛୋଟ ପୁତୁରାଙ୍କୁ ହତ୍ୟା ଧମକ ଦେବା ସହ ନଗଦ ୩ ଲକ୍ଷ ୫୦ ହଜାର ଟଙ୍କା ଓ ୯ ଲକ୍ଷ ୬୦ ହଜାର ଟଙ୍କାର ସୁନା ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଥିଲେ। ଏନେଇ ବିଜୟ ଭୁତିଆ ଙ୍କ ଭାଇ ଅଜୟ ଭୁତିଆ ବଅଁରପାଳ ଥାନାରେ ଏତଲା ଦେବାପରେ ବଅଁରପାଳ ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ କରିବା ସହ ଏକ ଟିମ ଗଠନ କରି ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଏହି ଲୁଟ ଘଟଣା ରେ ସଂଶ୍ଲିଷ୍ଠ ଥିବା ସମସ୍ତ ଡକାୟତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ତେବେ ଗିରଫ ଡକାୟତ ମାନଙ୍କ ଠାରୁ ନଗଦ ୨ ଲକ୍ଷ ୬୬ ହଜାର ଟଙ୍କା, ସୁନା ନେକ୍ଳେଶ, ସୁନା ଚେନ,ସୁନା ମୁଦି, ସୁନା କାନଫୁଲ, ୯ଟି ମୋବାଇଲ, ତିନୋଟି ବାଇକ ଆଦି ଜବତ କରାଯାଇଥିବା ଏସ ପି ଶ୍ରୀ ଜୈନ ସୂଚନା ଦେଇଥିଲେ। ଅନୁଷ୍ଠିତ ସାମ୍ବାଦିକ ସମିଳନୀ ରେ ଅନ୍ୟମାନଙ୍କ ମଧ୍ୟରେ ଆଇ ପି ଏସ ପ୍ରୋବେଶନ ବର୍ଷିତା, ଏସ ଡି ପି ଓ ରମାକାନ୍ତ ମହାଳିକ, ଏସ ଆଇ ଅମିତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।