ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ଖୁସି ଖବର । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିସାନ) ଅଧୀନରେ ଚାଷୀମାନଙ୍କୁ ୧୯ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫେବୃଆରୀ ୨୪ରେ ଏହି କିସ୍ତି ପ୍ରଦାନ କରାଯିବ ବୋଲି ଶୁକ୍ରବାର ଏହି ସୂଚନା ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ।
ଏହା ଅଧୀନରେ ପ୍ରାୟ ୨୨ ହଜାର କୋଟି ଟଙ୍କା ପଠାଯିବ, ଯାହା ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯିବ ।କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଫେବୃଆରୀ ୨୪ରେ ବିହାରର ଭାଗଲପୁରରେ ଏକ କାର୍ଯ୍ୟକ୍ରମରେ ପିଏମ-କିଷାନର ୧୯ତମ କିସ୍ତି ଜାରି କରିବେ । ଏହି ରାଶି ସିଧାସଳଖ ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ । ୧୮ତମ କିସ୍ତିରେ ହିତାଧିକାରୀଙ୍କ ସଂଖ୍ୟା ୯.୬ କୋଟି ବୃଦ୍ଧି ପାଇଛି ।୨୦୧୯ ମସିହା ଫେବୃଆରୀ ମାସରେ ଆରମ୍ଭ ହୋଇଥିବା ପିଏମ-କିଷାନ ହେଉଛି ବିଶ୍ୱର ସର୍ବବୃହତ ଡିବିଟି ଯୋଜନା । ଏହି ଯୋଜନା ଚାଷୀମାନଙ୍କୁ ବିହନ ଏବଂ ସାର କିଣିବା ପାଇଁ ସେମାନଙ୍କର ଖର୍ଚ୍ଚ ପୂରଣ କରିବାରେ ସାହାଯ୍ୟ କରିଛି ।ଚାଷୀ ସମାଜର ଆୟ ବୃଦ୍ଧି କରିବା ପାଇଁ ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ, ପ୍ରତ୍ୟେକ ହିତାଧିକାରୀ ଚାଷୀଙ୍କୁ ପ୍ରତି ୪ ମାସରେ ୨ ହାଜର ଟଙ୍କାର ତିନୋଟି ସମାନ କିସ୍ତିରେ ବାର୍ଷିକ ୬ ହଜାର ଟଙ୍କା ଦିଆଯାଏ । ସରକାର ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଅଧୀନରେ ମୋଟ ୩.୪୬ ଲକ୍ଷ କୋଟି ଟଙ୍କା ବଣ୍ଟନ କରିସାରିଛନ୍ତି ଏବଂ ୧୦ତମ କିସ୍ତି ଜାରି ହେବା ପରେ ଏହି ସଂଖ୍ୟା ୩.୬୮ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ ।