ନ୍ୟାସନାଲ ଗେମ୍ସର ଓଡ଼ିଶାର ପଦକ ବିଜେତାଙ୍କୁ ସମ୍ବର୍ଦ୍ଧନା; ସ୍ବର୍ଣ୍ଣ ପଦକଧାରୀଙ୍କୁ ୬ ଲକ୍ଷ ରାଶି ପ୍ରଦାନ
ଭୂବନେଶ୍ୱର: ୩୮ତମ ନ୍ୟାସନାଲ ଗେମ୍ସରେ ବିଜୟ ହାସଲ କରିଥିବା ଓଡ଼ିଶାର ସମସ୍ତ ପଦକ ବିଜେତାମାନଙ୍କୁ ଆଜି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। କଳିଙ୍ଗ ଷ୍ଟାଡିୟମ ଟେନିସ ସେଣ୍ଟର ଠାରେ ଆୟୋଜିତ ହୋଇଥିଲା ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମ। ଏଥିରେ କ୍ରୀଡ଼ାବିତମାନଙ୍କୁ ପୁରସ୍କାର ରାଶି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି।
ସ୍ବର୍ଣ୍ଣ ପଦକ ହାସଲ କରିଥିବା କ୍ରୀଡ଼ାବିତଙ୍କୁ ୬ ଲକ୍ଷ, ରୌପ୍ୟ ପଦକ ବିଜେତାଙ୍କୁ ୪ ଲକ୍ଷ ଏବଂ କାଂସ୍ୟ ପଦକ ପାଇଁ ୩ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି।ଏହି ସମ୍ବର୍ଦ୍ଧନା ସମାରୋହରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ନିଜ ଅଭିଭାଷଣ ରେ କହିଥିଲେ, ୩୮ତମ ନ୍ୟାସନାଲ ଗେମ୍ସରେ ଓଡ଼ିଶାର କ୍ରୀଡ଼ାବିତମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଏଥିସହ ନ୍ୟାସନାଲ ଗେମ୍ସରେ ସର୍ବ ଭାରତୀୟ ସ୍ତରରେ ଓଡ଼ିଶା ୧୨ତମ ସ୍ଥାନ ହାସଲ କରି ଶ୍ରେଷ୍ଠ ୧୫ଟି ରାଜ୍ୟ ମଧ୍ୟରେ ସ୍ଥାନିତ ହୋଇଛି। ଆମ କ୍ରୀଡ଼ାବିତମାନେ ହେଉଛନ୍ତି ଆମ ଗର୍ବ ଓ ଗୌରବ। ନ୍ୟାସନାଲ ଗେମ୍ସରେ ଏହି ବିଜୟ ଆଜି ଓଡ଼ିଶାର ବହୁ ଯୁବକ୍ରୀଡ଼ାବିତଙ୍କ ପାଇଁ ପ୍ରେରଣାଦାୟୀ। ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାମାନଙ୍କରେ ଆମ ଓଡ଼ିଶାର କ୍ରୀଡ଼ାବିତମାନେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ପଦକ ହାସଲ କରି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିବେ ।ଆଜି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ନ୍ୟାସନାଲ ଗେମ୍ସର ପଦକ ବିଜେତାମାନେ ନିଜର ଖୁସିବ୍ୟକ୍ତ କରିଥିଲେ ଓ ଏହି ସମ୍ବର୍ଦ୍ଧନା ଆଗାମୀ ଦିନ ପାଇଁ ସମସ୍ତଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି କହିଛନ୍ତି ।
କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର, ଅତିରିକ୍ତ ସଚିବ ଶ୍ରୀ ବିଜୟ କୁମାର ସ୍ୱାଇଁ, ଅତିରିକ୍ତ ସଚିବ ଶ୍ରୀ ଅଶୋକ କୁମାର ପଣ୍ଡା, ବରିଷ୍ଠ ଅଧିକାରୀଗଣ ଏବଂ ବିଭିନ୍ନ କ୍ରୀଡ଼ା ସଂଗଠନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।ସୂଚନାମୁତାବକ, ନ୍ୟାସନାଲ ଗେମ୍ସର ଆଗାମୀ ସଂସ୍କୃରଣ ୩୯ତମ ନ୍ୟାସନାଲ ଗେମ୍ସ ୨୦୨୭ ମସିହାରେ ମେଘାଳୟରେ ଆୟୋଜନ କରାଯିବ।