ଭୂବନେଶ୍ୱର,୨୩/୦୨: ଆଜି ମହାକୁମ୍ଭ ମେଳାରେ ବୁଡ଼ ପକାଇବାକୁ ପ୍ରୟାଗରାଜ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଫେରିବା ପରେ ବିଜେପିର କୋର୍ କମିଟି ବୈଠକ ବସିବ । ଏଥିରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ । ମାସ ଶେଷ ସୁଦ୍ଧା ନୂଆ ମନ୍ତ୍ରୀମଣ୍ଡଳ ସମେତ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହୋଇପାରେ ବୋଲି ଶୁଣାଯାଉଛି ।
ମନ୍ତ୍ରି ମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ି ୨୧ ଜଣ ମନ୍ତ୍ରୀ ରହିପାରିବେ । କିନ୍ତୁ ମୋହନଙ୍କ ମନ୍ତ୍ରିମଣ୍ଡଳରେ ୧୫ ଜଣ ମନ୍ତ୍ରୀ ଅଛନ୍ତି । କିଛି ମନ୍ତ୍ରୀଙ୍କ ଅଧୀନରେ ଦୁଇରୁ ତିନୋଟି ବିଭାଗ ଅଛି । ମୁଖ୍ୟମନ୍ତ୍ରୀ ବି ନିଜ ଗୁରୁଦାୟିତ୍ୱ ତୁଲାଇବା ସହ ଅର୍ଥ, ଗୃହ, ଜଳସମ୍ପଦ ଭଳି ଗୁରୁତ୍ୱପୂର୍ଣ ବିଭାଗ କଥା ବୁଝୁଛନ୍ତି । ମନ୍ତ୍ରୀମାନେ ମାତ୍ରାଧିକ ଚାପରେ ଅଛନ୍ତି । ନିଜ ବିଭାଗ ଓ ସଂଗଠନକୁ ପର୍ଯ୍ୟାପ୍ତ ସମୟ ଦେବା ସମ୍ଭବ ହେଉ ନାହିଁ । ସେପଟେ ମନ୍ତ୍ରିମଣ୍ଡଳରେ ୧୭ଟି ଜିଲ୍ଲା ମନ୍ତ୍ରୀଶୂନ୍ୟ ହୋଇ ରହିଛି । ମନ୍ତ୍ରୀ ପଦ ଆଶାରେ ଦଳୀୟ ବିଧାୟକମାନେ ଖୋଲାଖୋଲି ଇଚ୍ଛା ଜାହିର୍ କଲେଣି । ଖୁବ୍ଶୀଘ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେଉ ବୋଲି ଗଣମାଧ୍ୟମ ଆଗରେ ବିବୃତି ରଖିଲେଣି । ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ଦଳୀୟ କସରତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ଏହାକୁ ନେଇ ଦଳର ଶୀର୍ଷ ନେତୃତ୍ୱଙ୍କ ଭିତରେ ଆଲୋଚନା ସରିଛି । କୋର୍ କମିଟି ବୈଠକରେ ଏହା ଉପରେ ଆଲୋଚନା ହୋଇଛି । ଖୁବ୍ଶୀଘ୍ର ପୁଣି ଥରେ କୋର୍ କମିଟି ବୈଠକ ବସିବ। ଏଥିରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସହିତ ରାଜ୍ୟ ସଭାପତିଙ୍କ ନାଁ ଉପରେ ଚୂଡ଼ାନ୍ତ ମୋହର ବାଜିବ । ୨୧ଟି ଯାକ ସଂସଦୀୟ କ୍ଷେତ୍ରକୁ ମନ୍ତ୍ରିମଣ୍ଡଳରେ ପ୍ରତିଫଳିତ କରାଇବା ପାଇଁ ଉଦ୍ୟମ ହୋଇପାରେ । ଏଭଳି ମର୍ମରେ ଗତ କୋର୍ କମିଟି ବୈଠକରେ ଆଲୋଚନା ହୋଇଥିଲା ଏବଂ ଏକ ପ୍ରକାର ସହମତି ହୋଇଥିଲା । ୮ ଟି ସଂସଦୀୟ କ୍ଷେତ୍ରରୁ ଜଣେ ବି ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳି ନାହିଁ । ଏଗୁଡ଼ିକ ହେଲା ବାଲେଶ୍ୱର, କୋରାପୁଟ, କଳାହାଣ୍ଡି, କନ୍ଧମାଳ, କଟକ, କେନ୍ଦ୍ରାପଡ଼ା, ଭୁବନେଶ୍ୱର ଓ ସୁନ୍ଦରଗଡ଼ । କନ୍ଧମାଳ ସଂସଦୀୟ କ୍ଷେତ୍ରରୁ ଶାସକ ଦଳର ୪ ଜଣ ବିଧାୟକ (ଫୁଲବାଣୀ, କଣ୍ଟାମାଳ, ଭଞ୍ଜନଗର ଓ ବୈଦ୍ଧ) ଅଛନ୍ତି । କିନ୍ତୁ ଜଣେ ବି ସ୍ଥାନ ପାଇ ନାହାନ୍ତି ମନ୍ତ୍ରମଣ୍ଡଳରେ । ଆଉ କେତେଜଣ ବରିଷ୍ଠ ବିଧାୟକଙ୍କୁ ବି ସାମିଲ କରାଯିବା ନେଇ ଆଲୋଚନା ହେଉଛି । ଗତ ୮ ମାସ ମଧ୍ୟରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ସରକାରଙ୍କୁ ଅଡ଼ୁଆରେ ପକାଇଥିବା କେତେଜଣ ମନ୍ତ୍ରୀଙ୍କୁ ବାଦ୍ ଦିଆଯାଇ ପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ସେହିଭଳି ବୋର୍ଡ ଓ ନିଗମ ସଭାପତି/ଅଧ୍ୟକ୍ଷଙ୍କ ନାଁ ଖୁବ୍ଶୀଘ୍ର ଘୋଷଣା ହେବ । ସଂଗଠନ ପାଇଁ ନିରବଚ୍ଛିନ୍ନ ଭାବେ କାମ କରି ଆସିଥିବା ନେତାଙ୍କୁ ଏଥିରେ ଥଇଥାନ କରାଯିବ । କୋର୍ କମିଟିର ଆଗାମୀ ବୈଠକ ପରେ ଏହା ଘୋଷଣା ହେବ ବୋଲି ବିଜେପିର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି ।