କନ୍ୟା ଘର ପାଖରେ ବରକୁ ହତ୍ୟା ଉଦ୍ୟମ : ୭ ଗିରଫ
ଭୂବନେଶ୍ୱର, ୨୫/୦୨ : କନ୍ୟା ଘର ଗାଁରେ ଡିଜେର ତାଳେ ତାଳେ ଦେଶୀ ବନ୍ଧୁକ ଧରି ନାଚୁଥିଲେ ଅପରାଧୀ। ବର ବରଣ କରି ଝିଅ ଘର ଲୋକେ ଘରକୁ ନେବା ସମୟରେ ମୁଣ୍ଡକୁ ଲକ୍ଷ କରି ଫୁଟାଇଥିଲେ ଗୁଳି। ହେଲେ ଉପସ୍ଥିତ ଲୋକେ ଅପରାଧୀଙ୍କୁ କାବୁ କରିବାରୁ ମରଣ ମୁହଁରୁ ବଞ୍ଚିଗଲା ବର। ବଲାଙ୍ଗିର ଜିଲା ଦେଓଗାଁ ଥାନା ବାବିଜୋର ଗାଁରେ ଏଭଳି ଏକ ଘଟଣା ଆଲୋଚନାର ବିଷୟ ହୋଇଛି।
ଦେଓଗାଁ ଥାନା ଗାଈବାହାଲର ନେତ୍ରାନନ୍ଦ ପଧାନଙ୍କ ପୁଅ ରାଜକୁମାର ଉଡ଼ାର ପଞ୍ଚାୟତ ବାବିଯୋର ଗାଁକୁ ବରଯାତ୍ରୀ ଯାଇଥିଲେ ଗତ ରାତିରେ। ଖିଆପିଆ କରି ବରଯାତ୍ରୀ ନାଚିବା ପରେ କିଛି ନିଶାଖୋର ଯୁବକ ଦେଶୀ ବନ୍ଧୁକ ସହ ଅସ୍ତ୍ରଶସ୍ତ୍ର ଧରି ବେଦୀ ଉପରେ ବରକୁ ମାରିବା ପାଇଁ ଯୋଜନା କରି ଘେରି ଯାଇଥିଲେ। ଦେଓଗାଁ ପୁଲିସ ପହଞ୍ଚି ୬ ଜଣକୁ ଆଣି ପଚରଉଚରା କରିବା ପରେ ସେମାନଙ୍କ ଠାରୁ ନିଶା ବଟିକା, ମାରତୁଲ୍ ଜବତ କରିଥିଲା। ପୁଅର ବାପା ଓ ଝିଅର ଭାଇ ଦେଇଥିବା ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲାର ତଦନ୍ତ କରୁଛି।ପୁଲିସ ଏନେଇ ଦେଓଗାଁ ଥାନା ଅଞ୍ଚଳର ସହିଲ ଦୀପ, ଯବକାନ୍ତ କୁଅଁର, ଅମରେଶ ମିର୍ଦ୍ଧା, ଲିପୁନ କୁମାର, ଚମରୁ ଭୋଇ, ଶକ୍ତିମାନ ଭୋଇ ସହ ଜଣେ ନାବାଳକକୁ ଗିରଫ କରିଥିବା ପ୍ରକାଶ। ଏ ସମ୍ପର୍କରେ ବଲାଙ୍ଗିର ଏସଡିପିଓଙ୍କୁ ପଚାରିବାରୁ ୭ ଜଣ ଗିରଫ ହୋଇଛନ୍ତି। ଜବତ ପିସ୍ତଲ ନେଇ ଅଧିକ ତଦନ୍ତ ଚାଲିଛି ବୋଲି କହିଛନ୍ତି। ଅନ୍ୟପକ୍ଷରେ ଝିଅ ଘର ଲୋକେ ବରକନ୍ୟାକୁ ସୋମବାର ଘରୁ ବିଦାୟ ଦେବା ପରେ ଗାଁରେ ପହଞ୍ଚିଥିଲେ ବରକନ୍ୟା। ହତ୍ୟା ଉଦ୍ୟମ ପଛରେ ପୁଅ ଘରର ପାରିବାରିକ କଳହ ସହ ଜମି ବିବାଦ ରହିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ବରର ସମ୍ପର୍କୀୟ ଭିଣୋଇ ନିଶାଖୋର ଯୁବକଙ୍କୁ ମଦ ନିଶା ଓ ଟଙ୍କା ଦେଇ ହତ୍ୟା କରିବା ପାଇଁ ପଠାଇଥିଲା ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଅଭିଯୁକ୍ତମାନଙ୍କ ପାଖକୁ ଦେଶୀ ବନ୍ଧୁକ ଆସିଲା କେଉଁଠି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।