କଟକ: ଏପ୍ରିଲ ପହିଲାରୁ ରାଜ୍ୟରେ ଲାଗୁ ହେବ ଆଇନଜୀବୀ କଲ୍ୟାଣ କର୍ପସ ଫଣ୍ଡ ଆଇନ ୨୦୨୦ । ଏହି ଆଇନ ବଳରେ ବକାଲତିନାମା ସହିତ ଲାଗିବ ୧୦୦ ଟଙ୍କାର କର୍ପସ ଫଣ୍ଡ ଷ୍ଟାମ୍ପ । ନୂଆ ମାମଲା ରୁଜୁ କଲେ ଏପ୍ରିଲ ୧ରୁ ଲାଗିବ ୧୦୦ ଟଙ୍କାର କର୍ପସ ଷ୍ଟାମ୍ପ । ଏହି ଟଙ୍କା ରାଜ୍ୟର ଆଇନଜୀବୀଙ୍କ କଲ୍ୟାଣ ପାଇଁ ବିନିଯୋଗ ହେବ । ଆଦାୟ ଅର୍ଥର ୨୦ ପ୍ରତିଶତ ସଂପୃକ୍ତ ବାର ଆସୋସିଏସନକୁ ଯିବାନେଇ ନିଷ୍ପତ୍ତି ହୋଇଛି ।
ଏନେଇ ଆଇନଜୀବୀ ପରିଷଦର ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଅଧ୍ୟକ୍ଷ ସିତାଂଶୁ ମୋହନ ଦ୍ବିବେଦୀ ।୭୯ ପ୍ରତିଶତ ଓକିଲଙ୍କ କଲ୍ୟାଣ ପାଇଁ ବିନିଯୋଗ ହେବାର ରହିଛି । ଏଥିରୁ ୪ ପ୍ରତିଶତ ପଞ୍ଜିକୃତ ବାର ଆସୋସିଏସନ ଲାଇବ୍ରେରୀ ନବୀକରଣ, ୩ ପ୍ରତିଶତ କନିଷ୍ଠ ଅଧିବକ୍ତାଙ୍କୁ ସହାୟତା, ୧୨ ପ୍ରତିଶତ ଅଧିବକ୍ତାଙ୍କର ଚିକିତ୍ସା, ୧୦ ପ୍ରତିଶତ ମୃତ୍ୟକାଳୀନ ସହାୟତା, ୧୦ ପ୍ରତିଶତ ଜରୁରୀକାଳୀନ ପରିସ୍ଥିତି ଓ ୨୦ ପ୍ରତିଶତ ଓଡିଶା ଆଇନଜୀବୀ ପରିଷଦର ସାମୁହିକ ଖର୍ଚ୍ଚ ନିମନ୍ତେ ବିନିଯୋଗ କରାଯିବ ।ଏହା ସହିତ ଆଇନଜୀବୀ ମାନେ କୌଣସି ଅସାଧ୍ୟ ରୋଗରେ ପୀଡିତ ହୁଅନ୍ତି ତେବେ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଅନୁଦାନ ବ୍ୟବସ୍ଥା ରହିଛି । ବକେୟା ୧ ପ୍ରତିଶତ ରାଜ୍ୟ ଆଇନଜୀବୀ ପରିଷଦର ପାଠାଗାର ପାଇଁ ବିନିଯୋଗ ହେବ।